ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ ଡୋକରୀଦର ଜଳପ୍ରପାତରେ ୪ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ। ସେତିକିବେଳେ ହଠାତ ଜଣେ ସାଙ୍ଗ ପାଣିର ଗଭୀର ଭିତରକୁ ଚାଲିଯାଇ ଆସିବାରେ ସକ୍ଷମ ହୋଇପାରି ନ ଥିଲେ। ଅନ୍ୟ ୩ଜଣ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିଖୋଜ ଯୁବକ ଜଣକ ହେଉଛନ୍ତି ଧର୍ମଗଡ଼ ସହରର ବ୍ୟବସାୟୀ ହରେଶ ଅଗ୍ରୱାଲଙ୍କ ପୁଅ ଅମନ ଅଗ୍ରୱାଲ(୨୫) ବୋଲି ଜଣାପଡିଛି। ଅନ୍ୟ ୩ଜଣ ଯୁବକ ହେଲେ ଧର୍ମଗଡ଼ର ଅଭିଜିତ ପାଟ୍ଟଯୋଷୀ(୨୬), ଦିପେଶ ଅଗ୍ରୱାଲ(୨୬), ପ୍ରଭୁଦତ୍ତ ବେହେରା(୨୬)। ସାଙ୍ଗ ପାଣିରେ ବୁଡିବା ଦେଖି ଅନ୍ୟ ୩ଜଣ ସାଙ୍ଗ ସ୍ଥାନୀୟ ଉନ୍ନୟନ କମିଟିର ସଦସ୍ୟଙ୍କୁ ଜଣାଇଥିଲେ। ପରେ ଉନ୍ନୟନ କମିଟି ପକ୍ଷରୁ ଆମପାଣି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆମପାଣି ପୋଲିସ ଓ କୋକସରା ଦମକଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରାଯାଇ ନାହିଁ। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉନ୍ନୟନ କମିଟିର କର୍ମକର୍ତ୍ତା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।