ଗୋପିକା ବର୍ମା ପାଇଲେ ‘ମାହାରୀ ସମ୍ମାନ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଗୁରୁ ପଙ୍କଜ ଚରଣ ଓଡ଼ିଶୀ ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୩ଦିନ ଧରି ଚାଲିଥିବା ‘ଗୁରୁ ପଙ୍କଜ ଉତ୍ସବ’ ରବିବାର ଶେଷ ହୋଇଛି। ଉଦ୍‌ଯାପନୀ ସାରେ ମୋହିନୀ ଆଟ୍ଟମ୍‌ ନୃତ୍ୟାଙ୍ଗନା ଗୋପିକା ବର୍ମାଙ୍କୁ ଚଳିତ ବର୍ଷର ‘ମାହାରୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଅତିଥି ଭାବେ ଏସ୍‌ବିଆଇର ମହାପ୍ରବନ୍ଧକ ଉତ୍ତମ ହାଜରା ଚୌଧୁରୀ ଓ ସଂସ୍କୃତି ପୃଷ୍ଠପୋଷକ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶରତ ଦାସ ସ୍ବାଗତ ଭାଷଣ ଓ ସଭାପତି ବଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ନୃତ୍ୟାଙ୍ଗନା ବର୍ମାଙ୍କ ସତ୍ୟାଭାମା ନୃତ୍ୟାଭିନୟରୁ ସାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଶିଳ୍ପୀ ଶୁଭ୍ରା ମାଇଟି ଘୋଷ ଶୁଦ୍ଧ ନୃତ୍ୟ ପଲ୍ଲବୀ ଉପସ୍ଥାପନ କରିଥିଲେ। ଓଡ଼ିଶୀ ନୃତ୍ୟରେ ଶିଳ୍ପୀ ପୂଜା କାଲେଙ୍କର ଶଙ୍କରାଭରଣ ପଲ୍ଲବୀ ଓ ଅଭିନୟରେ ଲୀଳାନିଧି ହେ..ବେଶ ମନଛୁଆଁ ଥିଲା। ଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକଙ୍କ ପରିବେଷିତ ଅଭିନୟ ଶ୍ୟାମହେ ସତ କୁହ.. ଭାବ ଓ ଆବେଗକୁ ପରଷି ଦେଇଥିଲା। ଶିଳ୍ପୀ ସୋନାଲି ମହାନ୍ତିଙ୍କ ରାଗଶ୍ରୀ ପଲ୍ଲବୀ ସାର ଅନ୍ତିମ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମକୁ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିବାବେଳେ ସୁହାଗ ନଳିନୀ ଦାସ ଓ ବିନୋଦିନୀ ଦାସ, ଚିରାଗ ଚିରଞ୍ଜିବୀ ଓ ସିଦ୍ଧାନ୍ତ ଦାସ ପରିଚାଳନାରେ ସହାୟତା କରିଥିଲେ।