ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଦୀର୍ଘ ଦଶନ୍ଧି ଧରି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବା ଗ୍ରାମବାସୀ ଶେଷରେ ସମସ୍ତ ମନାନ୍ତର ଓ ମତାନ୍ତରକୁ ପଛରେ ପକାଇ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ୧୯୭୪ ମସିହାରେ କୌଣସି କାରଣକୁ ନେଇ ଗୋପପାଲି ଗ୍ରାମରେ ମନାନ୍ତର ସୃଷ୍ଟି ହୋଇଥିଲା, ଯାହା ଫଳରେ ଗ୍ରାମବାସୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲେ। ସେହିଦିନଠାରୁ ଗ୍ରାମର ସମସ୍ତ ସାମାଜିକ, ଧାର୍ମିକ ଓ ସାମୂହିକ କାର୍ଯ୍ୟକ୍ରମ ଦୁଇ ଗୋଷ୍ଠୀ ପୃଥକ୍ ଭାବେ ପାଳନ କରିଆସୁଥିଲେ। ତେବେ ଗ୍ରାମର ଯୁବପିଢ଼ିଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଏହି ଦୀର୍ଘଦିନର ବିଭେଦ ଦୂର ହୋଇପାରିଛି। ଗ୍ରାମରେ ଆୟୋଜିତ ଏକ ସାଧାରଣ ବୈଠକରେ ପ୍ରତ୍ୟେକ ପରିବାରର ସଦସ୍ୟ ସାମିଲ ହୋଇ ଗ୍ରାମର ଉନ୍ନତି ଓ ସାମୂହିକ ସ୍ୱାର୍ଥ ପାଇଁ ବିନା ସର୍ତ୍ତରେ ଏକାଠି ହେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତ ଗ୍ରାମବାସୀ ଗ୍ରାମର ଇଷ୍ଟଦେବୀଙ୍କ ପୀଠରେ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ବିଦ୍ୟାଧର ଖୁର୍ଡ଼ିଆଙ୍କ ପରିଚାଳନାରେ ନୂତନ ଗ୍ରାମ୍ୟ ପରିଚାଳନା କମିଟି ଗଠନ କରାଯାଇଥିଲା।
ସର୍ବସମ୍ମତିକ୍ରମେ ମଧୁସୂଦନ ପଧାନଙ୍କୁ ସଭାପତି, ବିଦ୍ୟାଧର ଖୁର୍ଡ଼ିଆଙ୍କୁ ଉପସଭାପତି, ଶରତ ପଧାନଙ୍କୁ ସମ୍ପାଦକ, ସଞ୍ଜୀବ ପଧାନଙ୍କୁ ଯୁଗ୍ମ ସମ୍ପାଦକ, ପଙ୍କଜ କୁମାର ନାୟକଙ୍କୁ କୋଷାଧ୍ୟକ୍ଷ ଏବଂ ସୁଶାନ୍ତ ପଧାନଙ୍କୁ ସହକୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିପରି ଗୋପୀନାଥ ପଧାନ ଓ ନରେନ୍ଦ୍ର ସାହୁଙ୍କୁ ଉପଦେଷ୍ଟା, ତ୍ରିଲୋଚନ ମେଣ୍ଡିଲିଙ୍କୁ ସଂଯୋଜକ, ଅସ୍ପିନ ବେହେରାଙ୍କୁ ପତ୍ରବାହକ ଏବଂ ତ୍ରିଲୋଚନ ଭୋଇ, କିଶୋର ସେଠୀ, ଶୁରୁ ବେହେରା ଓ ଅଟଳ ସାହୁଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।
ବୈଠକରେ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମଦ୍ୟପାନ କରି ଗଣ୍ଡଗୋଳ କଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ କରାଯାଇଛି। ଦୀର୍ଘ ୫୨ ବର୍ଷର ଏହି ଐତିହାସିକ ମିଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ଗଣେଶ ପୂଜାରେ ଏକ ମିଳନ ଉତ୍ସବ ସହ ଅଯୋଧ୍ୟାକାଣ୍ଡର ‘ଭରତ ମିଳନ’ ପାରାୟଣ ଆୟୋଜନ କରାଯିବ। ଏଥିପାଇଁ ବଲାଙ୍ଗୀରର ପ୍ରସିଦ୍ଧ ପାରାୟଣ ଗାୟକ ସୁରେନ୍ଦ୍ର ତ୍ରିପାଠୀଙ୍କୁ ବ୍ୟାସ ଭାବେ ବରଣ କରାଯାଇଛି। ଗୋପପାଲି ଗ୍ରାମବାସୀଙ୍କ ଏହି ଅଭୂତପୂର୍ବ ଏକତା ସମଗ୍ର ଅଞ୍ଚଳରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଶେଷରେ ସମ୍ପାଦକ ଶରତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।