କୋଭିଡ୍‌ ନିୟମ ଉଲ୍ଲଂଘନ କରି ବାହାଘର: ଗୋପାଳପୁର ମେ ଫେୟାର ହୋଟେଲ ସିଲ୍‌

ବ୍ରହ୍ମପୁର ଅଫିସ/ଗୋପାଳପୁର,୪ା୭- ଗଞ୍ଜାମ ଜିଲାରେ ଭୟଙ୍କର ରୂପ ନେଉଛି କରୋନା। ଏହାର ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ମାତ୍ର ସବୁ ନିୟମକୁ ଫୁ’ କରି ଗୋପାଳପୁର ଥାନା ଇଲାକାରେ ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ହୋଟେଲ ମାଲିକଙ୍କ ପୁଅ ବାହାଘର ଗତ ୨ ତାରିଖରେ ହୋଇଥିଲା। ଶୋଭାଯାତ୍ରାରେ ବରଯାତ୍ରୀମାନେ ସାମାଜିକ ଦୂରତା ନମାନି ବିନା ମାସ୍କରେ ଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଭିଡିଓଟି ଜିଲାପାଳଙ୍କ ଦୃଷ୍ଟିକୁ ଆସିବାପରେ ବର ଓ ବରପିତାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯିବା ସହ ଗୋପାଳପୁରରେ ଥିବା ହୋଟେଲ ମେ’ ଫେୟାରକୁ ୭ଦିନ ପାଇଁ ଜିଲାପାଳ ସିଲ୍‌ କରିଛନ୍ତି। ଏନେଇ ଜିଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗିରଫମାନେ ହେଲେ ବର ଦୀପକ କୁମାର ସାହୁ, ବାପା ହୋଟେଲ ନନ୍ଦନ ଇଣ୍ଟରନ୍ୟାଶନାଲ ମାଲିକ କୃଷ୍ଣ ସାହୁ, ବଡବାପା ଶିବ ସାହୁ, ବିନୋଦ ସାହୁ ଓ ସନ୍ତୋଷ ସାହୁଙ୍କୁ ଗିରଫ କରିଛି। ଶୋଭାଯାତ୍ରାରେ ବ୍ୟବହାର ହୋଇଥିବା ୨ଟି କାର୍‌ ମଧ୍ୟ ଜବତ ହୋଇଥିବା ବ୍ରହ୍ମପୁର ସଦର ଏସ୍‌ଡିପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଗତ ୨ ତାରିଖରେ ହୋଟେଲ ନନ୍ଦନ ଇଣ୍ଟରନ୍ୟାଶନାଲ ମାଲିକଙ୍କ ପୁଅ ବାହାଘର ଗୋପାଳପୁର ମେ’ ଫେୟାର ହୋଟେଲରେ ହୋଇଥିଲା। ବାହାଘରରେ ବରଯାତ୍ରୀ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଯାଉଥିବା ଭିଡିଓ ଶନିବାର ଭାଇରାଲ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିକଟରେ ଏହି ଭିଡିଓଟି ପହଞ୍ଚତ୍ଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ କନିଷି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁ ଶନିବାର ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ନଂ.୯୫/୨୦ରେ ମାମଲା ରୁଜ କରି ପୋଲିସ ତଦନ୍ତ ଚଳାଇଥିଲା। ବାହାଘର ଆୟୋଜନ ହୋଇଥିବା ହୋଟେଲ ମେ’ ଫେୟାର ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି।