ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ ଗୁରୁବାର ବିଡିିଓ ଦୀପ୍ତିରାଣୀ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେଶ୍ରା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମୋନାଲିସା ଶତପଥୀ, ଅଚ୍ୟୁତପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଶୁଭସ୍ମିିତା ବିଶ୍ବାଳ ଏବଂ ବଡତରା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଚିନ୍ମୟୀ ପଣ୍ଡାଙ୍କୁୁ ଶିଲ୍ଡ ସହ ମାନପତ୍ର ଦେଇ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା ସମ୍ମାନିତ କରିଛନ୍ତି। କୋଭିଡ୍‌ କଟକଣା ମାନି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସୂଚନାଯୋଗ୍ୟ, କରୋନାର ପ୍ରଥମ ଲହର ସମୟରେ ବିଭିନ୍ନ ରାଜ୍ୟରେ ଥିବା ଗୋପ ବ୍ଲକର ଅନେକ ଲୋକ ନିଜ ଗାଁ ମାଟିକୁ ଫେରି ଆସିଥିଲେ। ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଇଜିଏସ୍‌ରେ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ବିଡିଓ ଦୀପ୍ତିରାଣୀ ଦାସ, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମୋନାଲିସା ଶତପଥୀଙ୍କ ଉଦ୍ୟମ ଯୋଗୁ ଶ୍ରମିକମାନଙ୍କ ବ୍ୟାଙ୍କ ଜମାଖାତାକୁ ଅର୍ଥ ପଠାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ଅବଗତ ହୋଇଥିଲେ। ଗୋପ ବ୍ଲକରେ ୨୦୦୮ରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆରମ୍ଭ ହୋଇଥିଲା। ଅଦ୍ୟାବଧି ୩୧ ପଞ୍ଚାୟତରେ ପୋଖରୀ ଖୋଳା, ଶ୍ମଶାନ ରାସ୍ତା, ଗାଁ ରାସ୍ତା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ୨୫ କୋଟିରୁ ଊଦ୍ଧର୍‌ବ ଅର୍ଥ ଖର୍ଚ୍ଚ ହୋଇଛି। ଅଚ୍ୟୁତପୁର, ନାଗପୁର, ଗଣେଶ୍ୱରପୁର, ବଣିଆସାହି, ଏରବଙ୍ଗ, ବୀରତୁଙ୍ଗ ଆଦି ପଞ୍ଚାୟତରେ ଏହି ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨ଲକ୍ଷ ୯୩ହଜାର ୪୫୭ ଶ୍ରମିକଙ୍କୁ କାମ ଦିଆଯାଇଛି।