ବର୍ମିଂହାମ,୨୮ା୬: ଷ୍ଟାର ପେସର ଯଶପ୍ରୀତ ବୁମରା ଶନିବାର ଭାରତୀୟ ଦଳର ଟ୍ରେନିଂକୁ ଫେରିଛନ୍ତି। ଏଜ୍ବାଷ୍ଟନରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଲାଗି ଟିମ ଇଣ୍ଡିଆର ପ୍ରସ୍ତୁତିର ପ୍ରଥମ ଦିନରେ ବୁମରାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟି ଥିଲା। କିନ୍ତୁ ପ୍ରାକ୍ଟିସର ଦ୍ୱିତୀୟ ଦିନରେ ବୁମରା ଦଳର ଅନ୍ୟ ଖେଳାଳିଙ୍କ ସହ ଗ୍ରାଉଣ୍ଡରେ ଝାଳବୁହା ପରିଶ୍ରମ କରିଥିଲେ।
ସାଥି ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ବୁମରା ଡ୍ରିଲ୍ସ କରିବା ପରେ ସମସ୍ତ ୩ ପେସର ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ। ବ୍ୟାଟରଙ୍କ ମଧ୍ୟରେ ହେଡିଙ୍ଗଲେ ଟେଷ୍ଟରେ ପଦାର୍ପଣ କରିଥିବା ସାଇ ସୁଦର୍ଶନ ଅଭ୍ୟାସ କରିଥିଲେ। କିନ୍ତୁ ଏହି ପ୍ରାକ୍ଟିସ ସେଶନରେ ଅଧିନାୟକ ଶୁବମନ ଗିଲ, ଉପ ଅଧିନାୟକ ରିଷଭ ପନ୍ତ, ଲୋକେଶ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭାଗ ନେଇ ନ ଥିଲେ। ଏହି ୪ ବ୍ୟାଟର ଶୁକ୍ରବାର ଦୀର୍ଘ ଘଣ୍ଟା ଧରି ବ୍ୟାଟିଂ କରିଥିଲେ।
ଉପସ୍ଥିତି ଭାରତୀୟ ଦଳ ପାଇଁ ଏକ ଭଲ ସଙ୍କେତ। ହେଲେ ଦ୍ୱିତୀୟ ଟେଷ୍ଟରେ ଖେଳିବେ କି ନାହିଁ, ସେଥିଲାଗି ଦ୍ୱନ୍ଦ୍ୱ ଲାଗି ରହିଛି। ୩୧ ବର୍ଷୀୟ ପେସର ପ୍ରଥମ ଟେଷ୍ଟରେ ୪୪ ଓଭର ବୋଲିଂ କରିଥିଲେ। କାର୍ଯ୍ୟବୋଝ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜୀ ଯୋଗୁ ସେ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୩ ମ୍ୟାଚ୍ ଖେଳିବେ।


