ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର; ଯୋଗଦେବେ ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡର

ଆବୁଧାବି, ୩।୧୦: ଇଂଲଣ୍ଡର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକରେ ଅଂଶଗ୍ରହଣ କରିପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋକ୍ସଙ୍କ ବାପା ମସ୍ତିଷ୍କ କ୍ୟାନସରରେ ପୀଡ଼ିତ ରହିଛନ୍ତି। ଯେଉଁଥି ପାଇଁ ଷ୍ଟୋକ୍ସ ତାଙ୍କ ପରିବାର ସହ ନ୍ୟୁଜିଲାଣ୍ଡରେ ସମୟ ଅତିବାହିତ କରିଥିଲେ। ଫଳରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଥିବା ଆଇପିଏଲ୍‌-୧୩ର ପ୍ରାରମ୍ଭିକ ମ୍ୟାଚ୍‌ରେ ସେ ଦଳ ପକ୍ଷରୁ ଖେଳିପାରି ନ ଥିଲେ। ତେବେ ରାଜସ୍ଥାନ ପାଇଁ ଏବେ ଖୁସି ଖବର। ଷ୍ଟୋକ୍ସ ଶନିବାର ରାତିରେ ୟୁଏଇରେ ପହଞ୍ଚିବେ। ଏହାପରେ କୋଭିଡ୍‌-୧୯ ଲାଗି ରହିଥିବା ପ୍ରକ୍ରିୟା ପୂରଣ କରିସାରିବା ପରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ଶନିବାର ସୁଦ୍ଧା ରାଜସ୍ଥାନ ୪ ମ୍ୟାଚ୍‌ ଖେଳିସାରିଛି। ତେଣୁ ଷ୍ଟୋକ୍ସ ବାଧ୍ୟତାମୂଳକ ଆଇସୋଲେଶନ ସମୟ ପୂରଣ କରି ସପ୍ତାହ ପରେ ଦଳ ସହ ଯୋଗଦେବେ। ସମ୍ଭବତଃ ଚଳିତ ଆଇପିଏଲ୍‌ର ୨ୟ ରାଉଣ୍ଡରେ ଷ୍ଟୋକ୍ସ ରାଜସ୍ଥାନ ପକ୍ଷରୁ ଖେଳୁଥିବାର ନଜରକୁ ଆସିବେ। ଷ୍ଟୋକ୍ସଙ୍କ ଉପସ୍ଥିତି ରାଜସ୍ଥାନକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୃଢ଼ କରିବ ବୋଲି ଆଶା କରାଯାଉଛି।

Share