ଭୁବନେଶ୍ୱର,୧୪।୬ ଜୁନ: ରାଜ୍ୟର ସହରାଞ୍ଚଳରେ ବାସସ୍ଥାନ ସମସ୍ୟା ଦୂର କରିବା ଏବଂ ଭଡ଼ାଟିଆଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ରେଣ୍ଟାଲ ହାଉସିଂ ପଲିସି ଆଣିଛନ୍ତି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭଡ଼ା ଘରର ଚାହିଦା ବଢ଼ୁଥିବା ବେଳେ ସରକାର ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ବିଶେଷକରି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ପ୍ରତିଦିନ ବହୁ ଲୋକ ରୋଜଗାର, ଶିକ୍ଷା ଓ ବ୍ୟବସାୟିକ କାରଣରୁ ଆସୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସୁଲଭ ଦରରେ ଭଡ଼ା ଘର ଉପଲବ୍ଧ ହେଉ ନ ଥିବାରୁ ବସ୍ତି ବସତି ବୃଦ୍ଧି ପାଉଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ରେଣ୍ଟାଲ ହାଉସିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ରାଜ୍ୟର ସମସ୍ତ ସହରାଞ୍ଚଳରେ ପର୍ଯ୍ୟାୟକ୍ରମେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ। ଏଥିସହ ସରକାରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଘରଗୁଡ଼ିକୁ ମଧ୍ୟ ଭଡ଼ାରେ ଦିଆଯିବାର ବ୍ୟବସ୍ଥା କରାଯିବ। ଫଳରେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାନେ ସହଜରେ ଘର ପାଇପାରିବେ।
ନୂଆ ପଲିସିରେ ଅବ୍ୟବହୃତ ଓ ଖାଲି ପଡ଼ିଥିବା ଘରଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯିବ। ଏହି ଘରଗୁଡ଼ିକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ସାମିଲ କରି କମ୍ ଦରରେ ଭଡ଼ାରେ ଦେବା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସହରାଞ୍ଚଳରେ ବସ୍ତି ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ଶ୍ରମିକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ନିମ୍ନ ଆୟ ବର୍ଗର ପରିବାରମାନଙ୍କୁ ସୁରକ୍ଷିତ ଓ ସୁଲଭ ବାସସ୍ଥାନ ଯୋଗାଇ ଦେବା ସମ୍ଭବ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ରାଜ୍ୟରେ ଦ୍ରୁତ ସହରୀକରଣ ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂଆ ରେଣ୍ଟାଲ ହାଉସିଂ ନୀତି ସହରାଞ୍ଚଳର ଆବାସ ସମସ୍ୟା ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।