ଚକ୍ରବୂ୍ୟହରେ ନିଯୁକ୍ତି ସ୍ବଚ୍ଛତା

ପ୍ରଶାସନରେ ପାରଦର୍ଶିତା ବିନା ସୁଶାସନ ଦୀର୍ଘସ୍ଥାୟୀ ନୁହେଁ, କାରଣ କୌଣସି ବ୍ୟକ୍ତି ଅବା ସଂସ୍ଥା ତା’ର ପୂର୍ବ ଅଭାବନୀୟ ସ୍ଥିତିକୁ ପୁଣି ଫେରିଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହାକୁ ରୋକିବାକୁ ହେଲେ ବ୍ୟବସ୍ଥାରେ ପାରଦର୍ଶିତା ନିତାନ୍ତ ଆବଶ୍ୟକ। କିନ୍ତୁ ଜଣେ ଯଦି ନିଜର ଜବାବଦେହି ହେବାର ଦାୟିତ୍ୱକୁ ନିଜ ମୁଣ୍ଡ ଉପରୁ ଖସାଇବାକୁ ଚାହାନ୍ତି, ତେବେ ସେ ଚତୁରତାର ସହ ଅନେକ ତଥ୍ୟ ଲୁଚାଇବାକୁ ନିରାପଦ ମଣନ୍ତି। ଜଣେ ଚତୁର ପ୍ରଶାସକ ଯେ ଏହାର ବ୍ୟତିକ୍ରମ ତାହା ନୁହେଁ।
ଏହାର ଉଦାହରଣ ଦେଖିବାକୁ ମିଳିଛି ଆମ ରାଜ୍ୟରେ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇ ଗତବର୍ଷ ଅକ୍ଟୋବର ୫ରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ନିଯୁକ୍ତିର ୮ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରୀକ୍ଷାଫଳ ସମ୍ବନ୍ଧୀୟ ତଥ୍ୟ ଯଥା କଟ୍‌ ଅଫ୍‌ ମାର୍କ ଏବଂ ବ୍ୟକ୍ତିଗତ ମାର୍କ ସାର୍ବଜନୀନ କରାଗଲା ନାହିଁ।
ଏଠାରେ ପ୍ରଶ୍ନ ଆସେ ଯଦି କୌଣସି ନିଯୁକ୍ତିରେ ପରୀକ୍ଷାକୁ ଚୟନର ମାପଦଣ୍ଡ କରାଯାଉଛି ତେବେ ସେହି ପରୀକ୍ଷା ଫଳକୁ ସାର୍ବଜନୀନ କରିବାରେ ଅସୁବିଧା କେଉଁଠି? ଭିନ୍ନ ଭାବରେ କହିବାକୁ ଗଲେ ପରୀକ୍ଷାର ପ୍ରଦର୍ଶନ ସମ୍ବନ୍ଧୀୟ ତଥ୍ୟ ପ୍ରାର୍ଥୀମାନଙ୍କୁ ନ ଜଣାଇ ଯଦି କେବଳ ସଫଳ ପ୍ରାର୍ଥୀମାନଙ୍କ ନାମ ପ୍ରକାଶ କରାଯାଏ ତେବେ ତାହା କେତେ ଗ୍ରହଣୀୟ? କାରଣ ମାର୍କ ସାର୍ବଜନୀନ ନ କରାଯାଇ ଯଦି ସଫଳ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଏ ତେବେ ଆମେ କିପରି କହିପାରିବା ଯେ ଉକ୍ତ ତାଲିକା ନିଯୁକ୍ତି ପରୀକ୍ଷାର ମାର୍କ ଆଧାରରେ ହୋଇଛି କିମ୍ବା କାହାର ସୁପାରିସ ଆଧାରରେ ? ଏଣୁ ନିକଟରେ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀ ସମ୍ବନ୍ଧୀୟ ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ବୁଦ୍ଧିଜୀବୀ ମହଲରେ ଆମ ରାଜ୍ୟର ଏହି ନିଯୁକ୍ତିରେ କିଛି ବଡ଼ ଧରଣର ଅନିୟମିତତା ଥିବା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ କଥା। ଏହି ସନ୍ଦେହକୁ ଦୂର କରି ନିଯୁକ୍ତି ପ୍ରକ୍ରିୟା ଓ ନିଯୁକ୍ତି ସଂସ୍ଥାର ବିଶ୍ୱସନୀୟତା ଫେରାଇ ଆଣିବା, ସେଥିରେ ସମ୍ପୃକ୍ତ ପ୍ରଶାସକଙ୍କ ଏକ ଗୁରୁଦାୟିତ୍ୱ। କିନ୍ତୁ ବିଡ଼ମ୍ବନାର ବିଷୟ, ସୂଚନା ଅଧିକାର ଆଇନ ବଳରେ ତଥ୍ୟ ନ ଦେଇ ଯେଉଁ ଉତ୍ତର ଦେଉଛନ୍ତି ତାହା ସନ୍ଦେହକୁ ଆହୁରି ଘନୀଭୂତ କରିବାରେ ଲାଗିଛି। ସୂଚନା ଅଧିକାର ଆଇନ ଆଧାରରେ କରାଯାଇଥିବା କିଛି ଆବେଦନର ଉତ୍ତର କହୁଛି ଯେ ନିଯୁକ୍ତି ସଂସ୍ଥା (ଓସେପା) ପାଖରେ ଏ ସମ୍ବନ୍ଧୀୟ କୌଣସି ତଥ୍ୟ ନାହିଁ। ଏଭଳି ସାଂଘାତିକ ଉତ୍ତର ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଜାଣିବା ପରେ ମୁଁ ଜଣେ ନାଗରିକ ଭାବେ ଓସେପା ପକ୍ଷରୁ ଯାହା ଉତ୍ତର ପାଇଲି ତାହା ଆହୁରି ଆଶ୍ଚର୍ଯ୍ୟଜନକ। କହିବା ମୁତାବକ ପରୀକ୍ଷାଫଳ ସମ୍ବନ୍ଧୀୟ ତଥ୍ୟ ସାର୍ବଜନୀନ କରିବା ନିଷ୍ପତ୍ତି ଓସେପା ନୁହେଁ ବରଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନେଇପାରିବେ। ମନରେ ପ୍ରଶ୍ନ ଆସେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶନଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ଏବଂ ମେଧା ତାଲିକା ପ୍ରକାଶ କରିବାର ଗୁରୁଦାୟିତ୍ୱ ଯଦି ଓସେପା ବହନ କରିପାରୁଛି ତେବେ ପରୀକ୍ଷାଫଳ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବା ନିଷ୍ପତ୍ତି ନେବାକୁ କାହିଁକି ଓସେପା ପଛଘୁଞ୍ଚା ଦେଉଛି? ଏହା ଏକ ବ୍ୟବସ୍ଥାଜନିତ ଜଟିଳତା ନା ପ୍ରଶାସନିକ ଚତୁରତା? ପ୍ରଶାସକମାନେ ଯଦି ଅସମ୍ବେଦନଶୀଳ ହୋଇ ଏଭଳି ଘଟଣାର ସୁଦୂର ପ୍ରଭାବକୁ ବିଚାର ନ କରନ୍ତି ତେବେ ସେମାନଙ୍କ ଦ୍ୱାରା ସୁଶାସନ ତ ଦୂରର କଥା ପ୍ରଶାସନରେ ସାମାନ୍ୟତମ ସ୍ବଚ୍ଛତା ବା ପାରଦର୍ଶିତା ଆସିବା ସମ୍ଭବ ନୁହେଁ। କାରଣ କୌଣସି ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତା ଆଣିବାର ସର୍ବୋତ୍ତମ ଉପାୟ ହେଉଛି ସେହି ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସାର୍ବଜନୀନ କରିବା। ଯାହାଫଳରେ କୌଣସି ଅନିଚ୍ଛାକୃତ ତ୍ରୁଟି ବା ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ହୋଇ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତିମୁକ୍ତ କରିହେବ।
ସର୍ବଭାରତୀୟ ସ୍ତରରେ ଦକ୍ଷତାର ପରିଚୟ ଦେଇ ନିଯୁକ୍ତି ପାଇଥିବା ପ୍ରଶାସକମାନେ ନିଜେ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ନ ଦେବା ଦୁର୍ଭାଗ୍ୟଜନକ। ପରୀକ୍ଷାଫଳ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସ୍ବତଃ ନ ଦେଇ ଅତ୍ୟନ୍ତ ଚତୁରତାର ସହ ତଥ୍ୟ ଲୁଚାଇ ଦୁର୍ନୀତିକୁ ପ୍ରଶ୍ରୟ ଦେବା ବୋଧ ହୁଏ ଏମାନଙ୍କର ଧର୍ମ ପାଲଟି ଯାଇଛି। ଗତ ସଚିବାଳୟ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ସମୟରେ ଓଡ଼ିଶା ଲୋକ ସେବା ଆୟୋଗ ପରୀକ୍ଷା ପୂର୍ବରୁ ପ୍ରତି ବିଷୟର ସର୍ବନିମ୍ନ ଯୋଗ୍ୟତା ଅଙ୍କ ବା ପାସ୍‌ ମାର୍କ ସାର୍ବଜନୀନ ନ କରି ଚତୁରତାର ସହ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିଲା। ଯାହାଫଳରେ ଅନେକ ମେଧାବୀଙ୍କୁ ସେମାନଙ୍କ ମୋଟ ମାର୍କ ଅଧିକ ଥାଇ ମଧ୍ୟ ପରୀକ୍ଷା ପରେ ସ୍ଥିର କରାଯାଇଥିବା ୪୦% ସର୍ବନିମ୍ନ ପାସ୍‌ ମାର୍କ ଆଧାରରେ ବଳି ପକାଇଦିଆଗଲା। ଏହି ବିଷୟଟି ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ବିଚାର କରନ୍ତୁ, କୌଣସି ପରୀକ୍ଷାରେ ପାସ୍‌ ମାର୍କ ଯଦି ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ନ ଜଣାଇ ପରେ ସ୍ଥିର କରାଯିବାର ପ୍ରଥା ସୃଷ୍ଟି ହୁଏ, ତେବେ ତାହା ସ୍ବେଚ୍ଛାଚାରିତା ଓ ଦୁର୍ନୀତିକୁ ପ୍ରଶ୍ରୟ ଦେବ ନାହିଁ କି ? ଦୁଃଖ ଲାଗେ ଯେବେ ଏଭଳି ଅନିୟମିତତା ସେହିସବୁ ନିଯୁକ୍ତି ସଂସ୍ଥାରେ ଘଟେ, ଯେଉଁ ସଂସ୍ଥାର ମୁଖିଆ ଜଣେ ଜଣେ ବଡ଼ ବଡ଼ ଅଭିଜ୍ଞ ଆଇଏଏସ୍‌ ବା ଆଇପିଏସ୍‌ ଅଧିକାରୀ। ଏମାନେ ବିଭିନ୍ନ ଗମ୍ଭୀର ଅଭିଯୋଗ ବା କୌଣସି ସୁଚିନ୍ତିତ ପରାମର୍ଶକୁ ଗ୍ରହଣ ନ କରିବା ପଛର କାରଣ ସେମାନଙ୍କ ଦୂରଦୃଷ୍ଟିହୀନତା ବା ଅହଙ୍କାର ଅବା ଦୁର୍ନୀତି, ତାହା କେବଳ ସେମାନଙ୍କୁ ହିଁ ଜଣା।
ରାଜ୍ୟର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ମାର୍କ ସ୍ବତଃ ଓପିଏସ୍‌ସି ଏବଂ ଓଏସ୍‌ଏସ୍‌ସି ଭଳି ସଂସ୍ଥାମାନ ସାର୍ବଜନୀନ କରୁଥିବା ବେଳେ ଓସେପା କିନ୍ତୁ ବାରମ୍ବାର ନିବେଦନ ସତ୍ତ୍ୱେ ତଥ୍ୟ ନ ଦେବା ପଛରେ କି ଉଦ୍ଦେଶ୍ୟ ଥାଇପାରେ? ନିଜେ ପରୀକ୍ଷା ଦେଇ ନିଜର ମାର୍କ ପାଇଁ ପରୀକ୍ଷାର୍ଥୀମାନେ ସଂଘର୍ଷ କରିବା ଆମ ଶାସନ ବ୍ୟବସ୍ଥା ପାଇଁ ଲଜ୍ଜାଜନକ ଘଟଣା ନୁହେଁ କି ? ଓସେପାକୁ କଡ଼ା ନିର୍ଦ୍ଦେଶ ଦେଇ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଥିବା ସନ୍ଦେହ ଦୂର କରନ୍ତୁ। ଏଭଳି ନିର୍ଦ୍ଦେଶ ଅନ୍ୟ ସମସ୍ତ ନିଯୁକ୍ତି ପରିଚାଳନା ସଂସ୍ଥାରେ ଥିବା ପ୍ରଶାସକମାନଙ୍କ ମନରେ ଏକ ସକାରାତ୍ମକ ନୈତିକ ଭୟ ସୃଷ୍ଟି କରି ଆମ ରାଜ୍ୟର ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାରେ ସହାୟକ ହେବ।
ଅଧିବକ୍ତା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ମୋ:୯୩୮୦୦୩୭୬୩୮


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri