ନୂଆଦିଲ୍ଲୀ,୨୦।୧୧: ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ପୁଣି ଆସିଛି ଖୁସି ଖବର। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଲଗାତାର ଉତ୍ଥାନ-ପତନ ଜାରି ରହିଥିବା ବେଳେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । କେତେବେଳେ ଦର ବଢ଼ୁଛି ତ ଆଉ କେତେବେଳେ ହ୍ରାସ ପାଉଛି । ଏହି ସ୍ଥିତିରେ ଭୁବନେଶ୍ୱର ବଜାରରେ ଆଜି ସୁନା ଓ ରୂପାର ଦର କେତେ ରହିଛି, ଆସନ୍ତୁ ଜାଣିବା ।
ଆଜି ମଧ୍ୟ ସୁନା ଶସ୍ତା ହୋଇଛି। ଏହା ଲଗାତାର ନବମ ଦିନ ଯେତେବେଳେ ସୁନା ଦରରେ ହ୍ରାସ ଘଟିଛି। ଆଜି ପ୍ରାରମ୍ଭିକ କାରବାରରେ କମେକ୍ସ (COMEX) ରେ ଏହାର ପୂର୍ୱ ବନ୍ଦ ଦର ତୁଳନାରେ 2.57% ଖସି 3,590.6 ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି। ରୂପା ମଧ୍ୟ 4.7% ରୁ ଅଧିକ ଭାଙ୍ଗି 42.29 ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି।
ଦେଶର ଖୁଚୁରା ବଜାର କଥା କହିବାକୁ ଗଲେ, ଆଜି ଶୁକ୍ରବାର 20 ନଭେମ୍ୱରରେ 10 ଗ୍ରାମ 24 କ୍ୟାରେଟ ସୁନାର ଦର 1,28,130 ଟଙ୍କା ରହିଛି, ଯାହା ଗତକାଲି ରେକର୍ଡ କରାଯାଇଥିବା ଦର 1,30,840 ଟଙ୍କା ତୁଳନାରେ 2,710 ଟଙ୍କା (2.07%) କମ। Bullion.co.in ଅନୁସାରେ, 22 କ୍ୟାରେଟ ସୁନାର ଦର ଆଜି 1,17,453 ଟଙ୍କା ପ୍ରତି 10 ଗ୍ରାମ ରହିଛି, ଯେତେବେଳେ କି 925 ଷ୍ଟର୍ଲିଂ ରୂପାର ଦର 1,46,446 ଟଙ୍କା ପ୍ରତି କିଲୋଗ୍ରାମ ରହିଛି।
ଅନ୍ତର୍ଜାତୀୟ ବଜାରରେ ସୁନା ଏହି ସପ୍ତାହରେ ପ୍ରାୟ 8.9% ଖସିଛି, ଯାହା ଗତ ଆଠ ମାସ ମଧ୍ୟରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ। ସୁନା ଦର ହ୍ରାସ ପାଇବାର ଏକ ବଡ଼ କାରଣ ହେଉଛି ଆମେରିକାରେ ଫେଡେରାଲ ରିଜର୍ଭ (Fed) ଦ୍ୱାରା ସୁଧ ହାରରେ ଆଉ ଏକ ବୃଦ୍ଧି ହେବାର ସମ୍ଭାବନା। ମୁଦ୍ରାସ୍ଫୀତି (ମହଙ୍ଗା) ବଢ଼ିଲେ ଫେଡ ସୁଧ ହାର ବଢ଼ାଇ ଦେଇଥାଏ, ଯାହାଫଳରେ ଋଣ ନେବା ମହଙ୍ଗା ହୋଇଯାଏ ଏବଂ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିଥାଏ। ଏଥର ଫେଡେରାଲ ରିଜର୍ଭ ସୁଧ ହାରରେ 25 ବେସିସ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ଯୋଗୁଁ ସୁନା ଦରରେ ହ୍ରାସ ଘଟିଛି।
ପ୍ରକୃତରେ, ସୁନା ଉପରେ କୌଣସି ସୁଧ ମିଳେ ନାହିଁ। ସୁଧ ହାର ବଢ଼ିଲେ ଯଦି ବ୍ୟାଙ୍କ ଏବଂ ସରକାରୀ ବଣ୍ଡ ଭଲ ରିଟର୍ଣ୍ଣ ଦେବାକୁ ଲାଗନ୍ତି, ତେବେ ନିବେଶକମାନେ ସୁନା ରଖିବା ପରିବର୍ତ୍ତେ ଏହି ବିକଳ୍ପଗୁଡ଼ିକୁ ବାଛିପାରନ୍ତି। ସହଜ ଶବ୍ଦରେ କହିବାକୁ ଗଲେ, ଯେତେବେଳେ ନିବେଶକମାନଙ୍କୁ ସୁଧ ଦେଉଥିବା ନିବେଶରୁ ଅଧିକ ଆୟ ହୋଇପାରେ, ସେତେବେଳେ ସେମାନଙ୍କ ପାଇଁ ସୁନାର ଆକର୍ଷଣ କମିଯାଏ। ସମ୍ପ୍ରତି ସୁନା ଦରରେ ଆସିଥିବା ହ୍ରାସ ପଛରେ ଏହା ହିଁ ଏକ କାରଣ।