Categories: ବାଣିଜ୍ୟ

୫୬,୦୦୦ ଉପରେ ସୁନା ଦର

ନୂଆଦିଲ୍ଲୀ,୧୦।୧: ଗତ କିଛିଦିନ ହେଲା ସୁନାଜାତ ସାମଗ୍ରୀ ସାଙ୍ଗକୁ ରୁପା ଓ ହୀରାର ଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏପରିକି ସୋମବାର ସୁନା ଦର ୫୬,୦୦୦ଟଙ୍କା ଟପି ଯାଇଥିବା ସୂଚନା ମିଳିଛି। ଏ ନେଇ ମଧ୍ୟ ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ୱେବସାଇଟ୍‌ରେ ମଧ୍ୟ ସୂଚିତ କରାଯାଇଛି। ଜାନୁୟାରୀ ୯ ତାରିଖରେ ଦିଲ୍ଲୀରେ ସୁନା ମୂଲ୍ୟ ପ୍ରାୟ ୮୦୦ ଟଙ୍କା ବଢ଼ିଥିବା ବେଳେ ଅନ୍ୟ ପ୍ରମୁଖ ସହରରେ ୫୦୦ରୁ ୭୦୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ସୁନାର ନୂଆ ମୂଲ୍ୟ ୫୬,୩୩୬ ଟଙ୍କା ହୋଇଯାଇଛି। ଏହା ପୂର୍ବରୁ ୨୦୨୦ରେ ସୁନା ସବୁଠାରୁ ୧୦ ଗ୍ରାମ୍‌ ପ୍ରତି ମୂଲ୍ୟ ୫୬, ୨୦୦ ଟଙ୍କା ରହିଥିଲା। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଚଳିତ ବର୍ଷ ସୁନା ମୂଲ୍ୟ ୬୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ୍‌ ଯାଇପାରେ। ତେବେ କେବଳ ସୁନା ନୁହେଁ ଆଜି ରୁପା ମୂଲ୍ୟରେ ବି ଅହେତୁକ ବୃଦ୍ଧି ହୋଇଛି। ସୋମବାର ରୁପା ୧୧୮୬ ଟଙ୍କା ବଢ଼ି କେଜି ୬୯,୦୭୪ ଟଙ୍କା ହୋଇଛି। ଜାନୁୟାରୀ ୬ ତାରିଖରେ ରୁପା ମୂଲ୍ୟ ୬୭,୮୮୮ ଥିଲା। ୨୦୨୨ ସୁନା-ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିଲା। ଏପରିକି ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୨ରେ ସୁନା ମୂଲ୍ୟ ୬,୫୮୮ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ମୂଲ୍ୟ ୪୮,୨୭୯ରୁ ୫୪,୮୬୭ ହୋଇଛି। ସେହିଭଳି ରୁପା ମଲ୍ୟ କେଜି ପ୍ରତି ୬୨,୦୩୫ରୁ ବଢ଼ି ୬୮,୦୯୨ ହୋଇଛି। ଅର୍ଥାତ ବର୍ଷକ ଭିତରେ ରୁପା ମୂଲ୍ୟରେ ୬,୦୬୭ ଟଙ୍କା ବୃଦ୍ଧି ହୋଇଛି। ୨୦୨୩ରେ ସୁନା ମୂଲ୍ୟ ୬୪ ହଜାର ପର୍ଯ୍ୟନ୍ତ ଯିବ ବୋଲି ଏକ୍ସପର୍ଟମାନେ କହୁଛନ୍ତି। ଦେଶ ସ୍ବାଧୀନ ପରଠାରୁ ୭୫ ବର୍ଷ ଭିତରେ ସୁନା ଦାମ ୬୩୧ ଗୁଣା ବଢ଼ିଛି। ବିଗତ ୭୫ ବର୍ଷ ଭିତରେ ସୁନା ଓ ରୁପା ମୂଲ୍ୟ ଦ୍ରୁତ ଗତିରେ ବଢ଼ିଛି। ୧୯୪୭ ମସିହାରେ ଯେବେ ଦେଶ ସ୍ବାଧିନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୮.୬୨ ଟଙ୍କା ଥିଲା। ହେଲେ ଏବେ ସୁନା ମୂଲ୍ୟ ୫୬ ହଜାର ଅତିକ୍ରମ କରିଛି। ଅର୍ଥାତ ସେବେଠାରୁ ସୁନା ମୂଲ୍ୟ ୬୩୧ ଗୁଣା(୬୩୧୯୮ ପ୍ରତିଶତ) ବଢ଼ିଛି। ସେହିଭଳି ରୁପା ମୂଲ୍ୟରେ ବି ୬୪୪ ଗୁଣା ବୃଦ୍ଧି ହୋଇଛିd ୧୯୪୭ରେ ରୁପା ମୂଲ୍ୟ କେଜି ପ୍ରତି ୧୦୭ ଟଙ୍କା ଥିଲା। ହେଲେ ଏବେ ୬୯,୦୭୪ ହୋଇଛି।

Share