ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ): ଘରେ କୌଣସି ପୁରୁଷ ଲୋକ ନ ଥିବାର ସୁଯୋଗ ନେଇ ସୁନା-ରୁପା ଅଳଙ୍କାର ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଓ ମୁଦି ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଏହିପରି ଏକ ଚଞ୍ଚକତାପୂର୍ଣ୍ଣ ଘଟଣା ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଘଟିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନ ସମୟରେ ଦୁଇଜଣ ବ୍ୟକ୍ତି ଦାମୋଦରପୁର ଗ୍ରାମର ଅମୂଲ୍ୟ ବେହେରାଙ୍କ ଘରକୁ ଆସିଥିଲେ। ସୁନା ଓ ରୁପା ଅଳଙ୍କାର ଚକଚକ୍ ସଫା କରିଦେବୁ ବୋଲି କହିବାରୁ ଘରେ ଥିବା ମହିଳା ଜଣଙ୍କ ପ୍ରଥମେ ସେମାନଙ୍କୁ ନିଜର ରୁପା ପାଉଁଜି ସଫା କରିବାକୁ ଦେଇଥିଲେ। ଦୁର୍ବୃତ୍ତ ଦ୍ଵୟ ରୁପା ପାଉଁଜିଟିକୁ ସଫା କରି ମହିଳାଙ୍କ ବିଶ୍ଵାସ ଜିତିଥିଲେ।
ଏହାପରେ ମହିଳା ଜଣଙ୍କ ନିଜର ଦେଢ଼ ତୋଳା ଓଜନର ସୁନା ଚେନ୍ ଏବଂ ଅଧ ତୋଳା ଓଜନର ସୁନା ମୁଦି ସଫା କରିବା ପାଇଁ ଦେଇଥିଲେ। ଅଳଙ୍କାର ସଫା କରିବା ବାହାନାରେ ଦୁର୍ବୃତ୍ତମାନେ ମହିଳାଙ୍କୁ ପ୍ରଥମେ ଗରମ ପାଣି ଆଣିବାକୁ କହିଥିଲେ। ମହିଳା ଜଣଙ୍କ ଗରମ ପାଣି ଆଣି ଦେବା ପରେ, “ଏହା ଅଧିକ ଗରମ ଅଛି, ଟିକେ ଥଣ୍ଡା ପାଣି ଆଣନ୍ତୁ” ବୋଲି କହି ପୁଣି ଘର ଭିତରକୁ ପଠାଇ ଦେଇଥିଲେ।
ମହିଳା ଜଣଙ୍କ ଥଣ୍ଡା ପାଣି ଆଣିବା ପାଇଁ ଘର ଭିତରକୁ ଯିବା କ୍ଷଣି, ଦୁଇ ଦୁର୍ବୃତ୍ତ ସୁନା ଚେନ୍ ଓ ମୁଦି ଧରି ନିଜ ବୁଟ୍ (ଜୋତା) ଗୁଡ଼ିକ ଦୁଆର ମୁହଁରେ ଛାଡ଼ି ବାଇକ୍ରେ କ୍ଷିପ୍ର ଗତିରେ ଚମ୍ପଟ ମାରିଥିଲେ। ମହିଳା ଜଣଙ୍କ ଫେରି ଦେଖିଲା ବେଳକୁ ଦୁହେଁ ଫରାର୍ ହୋଇଯାଇଥିଲେ।
ଏହି ସମ୍ପର୍କରେ ଗଞ୍ଜାମ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।