ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ) ସୁନା ମୂଲ୍ୟରେ ପ୍ରାୟ ୫୦୦୦ରୁ ଅଧିକ ହ୍ରାସ ଘଟି ଏହା ୧.୨୩ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଏହି ହ୍ରାସ ପରେ ସୁନା ପ୍ରାୟ ୧ବର୍ଷ ପୁରୁଣା ସ୍ତରରେ ପହଞ୍ଚିଯାଇଛି। ୨୦୨୫ ନଭେମ୍ବର ୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧,୨୩,୩୦୮ ଟଙ୍କା ଥିଲା। ଏହା ପରେ ବର୍ଷ ସାରା ସୁନା ମୂଲ୍ୟ ବୃଦ୍ଧି ପାଇ ଚାଲିଥିଲା। ତେବେ ଶୁକ୍ରବାରର ହ୍ରାସ ପରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୫ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି। କେବଳ ସୁନା ନୁହେଁ , ଶୁକ୍ରବାର ରୁପା ଦରରେ ମଧ୍ୟ ପ୍ରତି କିଲୋଗ୍ରାମ ପିଛା ୯,୭୮୯ ଟଙ୍କା ହ୍ରାସ ଘଟିଛି। ଏହା ପରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧.୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାରର ମଜଭୁତ ସ୍ଥିତି ସମେତ ଉଚ୍ଚ ସ୍ତରରେ ଲାଭ ବୁକିଂ ଯୋଗୁ ସୁନା,ରୁପା ଦର ଉପରେ ଚାପ ବଜାୟ ରହିଛି। ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତର ଉତ୍ଥାନ ପତନ ଦେଖିବାକୁ ମିଳିଥିଲାବେଳେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସ୍ତରରୁ ସୁନା ମୂଲ୍ୟରେ ୩୦% ଏବଂ ରୁପା ୬୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୧.୩୩ ଲକ୍ଷ ଟଙ୍କା ରହିଥିଲାବେଳେ ୨୯ ଜାନୁଆରୀ ୨୦୨୬ରେ ଏହା ସର୍ବୋଚ୍ଚ ଭାବେ ୧.୭୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।