ରାଜଧାନୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍‌

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇପଡ଼ିଲେଣି ସୁନାଚେନ ଲୁଟ୍‌ କରୁଥିବା ଗ୍ୟାଙ୍ଗ। ସେମାନେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସଠାରୁ ମଧ୍ୟ ଲୁଟ୍‌ପାଟ କରିବାକୁ ପଛାଉ ନାହାନ୍ତି। ଏପରି ଏକ ଘଟଣାକ୍ରମରେ ରବିବାର ସକାଳେ ଖାରବେଳ ନଗର ଥାନା ୟୁନିଟ-୩ ଅଞ୍ଚଳରେ ରହୁଥିବା ଜଣେ ଭିଜିଲାନ୍ସ ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ୍‌ ଲୁଟି ନେଇଛନ୍ତି ଲୁଟେରା। ଲୁଟର ଶିକାର ହୋଇଥିବା ଡିଏସ୍‌ପି ହେଲେ ତନୁଜା ମହାନ୍ତି। ସେ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି। ଡିଏସ୍‌ପିଙ୍କ ଘର ନିକଟରେ ଲାଗିଥିବା ସିସିଟିଭିକୁ ଦେଖି ପୋଲିସୁ ଲୁଟେରାଙ୍କୁ ଚିହ୍ନଟ କରୁଛି।

ସୂଚନାନୁଯାୟୀ, ସବୁଦିନ ପରି ତନୁଜା ସକାଳ ୭ଟା ସମୟରେ ଘର ଆଗରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ମୁହଁରେ ମାସ୍କ ଲଗାଇ ପଲ୍‌ସର ବାଇକ୍‌ରେ ଆସିଥିଲେ। ସେମାନେ ହଠାତ ବାଇକ୍‌ରୁ ଓହ୍ଲାଇ ତନୁଜାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଚେନ ଲୁଟି ନେଇଥିଲେ। ତନୁଜା ପରେ ପାଟି କରିବାରୁ ସ୍ବାମୀ ବାହାରକୁ ଆସିଥିଲେ। ହେଲେ ସେତେବେଳକୁ ଲୁଟେରାମାନେ ଫେରାର ହୋଇଯାଇଥିଲେ।

ପ୍ରକାଶ ଥାଉ କି, ଚାରିଦିନ ତଳେ ଉକ୍ତ ଖାରବେଳ ଥାନା ଅଞ୍ଚଳରୁ ଅନ୍ୟଜଣଙ୍କୁ ସମାନ ଉପାୟରେ ବନ୍ଧୁକ ଦେଖାଇ ସୁନାଚେନ ଲୁଟି ନେଇଥିଲେ। ଏଭଳି ବାରମ୍ବାର ଲୁଟ୍‌ ବଢ଼ୁଥିବାରୁ ପୋଲିସ ପାଇଁ ଏହା ମୁଣ୍ଡବିନ୍ଧା ପାଲଟିଛି। ନିକଟରେ ନୂଆ ଡିସିପି ଉମାଶଙ୍କର ଦାସ ଯୋଗଦେଇଥିବା ବେଳେ ଲୁଟେରାମାନେ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା କୁହାଯାଉଛି।