ଗୋଳନ୍ଥରା ହାଜତ ମୃତ୍ୟୁ ମାମଲା: ଗୃହ ସଚିବ, ଏସ୍‌ପି, ଆଇଆଇସିଙ୍କୁ ନୋଟିସ

କଟକ ଅଫିସ,୨୨ା୧୧: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ, ଗଞ୍ଜାମ ଏସ୍‌ପି ଓ ଗୋଳନ୍ଥରା ଥାନା ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଜିପର୍ଯ୍ୟନ୍ତ କାହିଁକି ପୋଲିସ ହତ୍ୟା ମାମଲା ରୁଜୁ କରିନାହିଁ, ସେନେଇ ଲିଖିତ ଆକାରରେ ଆସନ୍ତା ୩୦ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁରର ଗଣେଶ ଡାକୁଆଙ୍କୁ ଗତ ମେ’ ୩ ତାରିଖରେ କେତେଜଣ ବ୍ୟକ୍ତି କୌଣସି କାରଣକୁ ନେଇ ଆକ୍ରମଣ କରିଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୋଲିସ ଏତଲା ରଖି ନ ଥିଲା। ପରେ ସେ ଘରକୁ ଫେରି ଆସିଥିଲେ। ସେହିଦିନ ଗଣେଶଙ୍କୁ ପୋଲିସ ମେଡିକାଲ ଚିକିତ୍ସା କରିବା ବାହାନାରେ ଘରୁ ଥାନାକୁ ଡାକିଆଣି ମାଡ ମାରିଥିଲା। ରାତି ପ୍ରାୟ ୮ଟାରେ ଥାନା ଝରକାରେ ବେଲ୍ଟଦ୍ୱାରା ଗଣେଶ ଆତ୍ମହତ୍ୟା କରିଥିବା ନେଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନିଆଯାଇଥିଲା। ଶବ ବ୍ୟବଚ୍ଛେଦ ରୁମ୍‌ ନିକଟରେ ଗଣେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବେକରେ କୌଣସି ଦାଗ ନଥିବା ତାଙ୍କ ମା’ ଶୋଭା ଡାକୁଆ ଦେଖିଥିଲେ। ଅନ୍ୟପକ୍ଷରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବଦଳରେ ବେଆଇନ ଭାବେ ପୋଲିସ ରାତାରାତି ବ୍ୟବଚ୍ଛେଦ କରାଇ ସ୍ଥାନୀୟ ନୀଳକଣ୍ଠନଗର ଶ୍ମଶାନରେ ସତ୍କାର କରିଥିଲା। ଏନେଇ ଶୋଭା ମେ’ ୫ ତାରିଖରେ ଗୋଳନ୍ଥରା ଥାନା ଓ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ପରେ ଶୋଭା ଅଗଷ୍ଟ ୧୭ ତାରିଖରେ ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ ଏଫ୍‌ଆଇଆର ରୁଜୁ ହୋଇପାରିଲାନାହିଁ। ଶେଷରେ ଗତ ୧୨ ତାରିଖରେ ଶୋଭା ହାଇକୋର୍ଟରେ କ୍ରିମିନାଲ ମିସ୍‌ ପିଟିଶନ ଦାଏର କରି ହତ୍ୟା ମାମଲା ରୁଜୁ ପାଇଁ ନିବେଦନ କରିଥିଲେ। ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।