ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ନାବାଳିକା ହେଲେ ଏ. ଉଷା ଆଚାରୀ (୧୫)।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ମୃତ ନାବାଳିକାଙ୍କ ମା’ ଏ. ଯଶୋଦା ଆଚାରୀ କହିଛନ୍ତି ଯେ, ତାଙ୍କ ପରିବାର ଅତ୍ୟନ୍ତ ଗରିବ। କିଛି ବର୍ଷ ପୂର୍ବରୁ ସ୍ୱାମୀ ବୁଲୁଆ ଆଚାରୀଙ୍କ ମୃତ୍ୟୁ ପରେ ସେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ସହ ଦିନମଜୁରି କରି ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ପ୍ରତିପୋଷଣ କରୁଛନ୍ତି।

 ତେବେ ଉକ୍ତ ସାହିର ରାମାରାଓ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯଶୋଦା ଆଚାରୀ ଓ ତାଙ୍କ ଝିଅ ବେଳେବେଳେ ରୋଷେଇ, ବାସନ ମଜା ଓ ଅନ୍ୟାନ୍ୟ ଘରୋଇ କାମ କରିବାକୁ ଯାଉଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତି ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କର କିଛି ଫଟୋ ଉଠାଇ ରଖିଥିଲେ ଏବଂ ତାଙ୍କ ଉପରେ କୁଦୃଷ୍ଟି ପକାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା  ମା’ ଅଭିଯୋଗ କରିଛନ୍ତି।

ନାବାଳିକା ଏ ସମ୍ପର୍କରେ ମା’ଙ୍କୁ ଜଣାଇବା ପରେ ଗତ ତିନି ମାସ ଧରି ଉଭୟ ମା’ ଓ ଝିଅ ସେହି ଘରକୁ କାମ କରିବାକୁ ଯିବା ବନ୍ଦ କରିଦେଇଥିଲେ। ପରେ ଉକ୍ତ ବ୍ୟକ୍ତି ନାବାଳିକାଙ୍କୁ ବିଭିନ୍ନ ପ୍ରକାରର ଧମକ ଦେବା ସହ ଫଟୋ ଭାଇରାଲ କରିଦେବାକୁ ବ୍ଲାକମେଲ କରୁଥିବା ମୃତାଙ୍କ ମା’ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ନାବାଳିକାଙ୍କ ସମ୍ପର୍କୀୟମାନେ ରାମାରାଓଙ୍କୁ ଭେଟି ପଚାରିବା ସହ ତାଗିଦ କରିଥିଲେ। ତଥାପି ସେ ନାବାଳିକାଙ୍କୁ ପୁନର୍ବାର ଧମକ ଦେଇଥିବାରୁ ମାନସିକ ଭାବେ ଭାଙ୍ଗିପଡ଼ି ସେ ଘରେ କେହି ନ ଥିବା ସମୟରେ ବିଷପିଇ ଆତ୍ମହତ୍ୟା  କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

 ଯଶୋଦା ସ୍କୁଲରୁ ମଧ୍ୟାହ୍ନ ଭୋଜନ ରାନ୍ଧି ଘରକୁ ଫେରିବା ପରେ ଝିଅଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ମୃତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଅନ୍ୟପକ୍ଷରେ,  ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily