୨୨ ମଣ୍ଡପରେ ଦେବୀ ପଦ୍ମାଳୟା

ବଅଁରପାଳ, ୧୫ା୧୦ (ଡି.ଏନ.ଏ.): ବଅଁରପାଳ ବ୍ଲକରେ ମା’ ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ଚାଲିଛି। ବଅଁରପାଳରେ ୧୩ ମଣ୍ଡପ ହୋଇଥିବା ବେଳେ କୁଲାଡ଼ରେ ୯ ମଣ୍ଡପରେ ମା’ ପଦ୍ମାଳୟାଙ୍କ ଆରାଧନା ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ମେଢ଼ ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି। ଦୈନିକ ବିଭିନ୍ନ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମିନାବଜାର ଓ ଦୋଳିର ମଜା ନେବାକୁ ପ୍ରବଳ ଭିଡ଼ ହେଉଛି। ଚଳିତବର୍ଷ କେତେକ ସ୍ଥାନରେ ଚାନ୍ଦି ମେଢ ଓ ରୁପା ମୁକୁଟ କରାଯାଇଥିବାରୁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଡେଲି ମାର୍କେଟ ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ ନିର୍ମାଣ କରାଯାଇଛି। ବଡ଼ ବଜାର, ଲକ୍ଷ୍ମୀ ନାରାୟଣ ପୂଜା କମିଟି, ସିଦ୍ଧେଶ୍ୱର ବଜାର, ପଞ୍ଚଶ୍ରୀକ୍ଷେତ୍ର ବଜାର, ଦୁର୍ଗା ବଜାର, ସନ୍ତ୍ରୀ ଛକ, ଶାନ୍ତି ବଜାର, ଅନ୍ନପୂର୍ଣ୍ଣା ବଜାର, ଧନ ଲକ୍ଷ୍ମୀ ପୂଜା କମିଟି ଆଦି ପୂଜା କମିଟି ପକ୍ଷରୁ ଦେବୀଙ୍କ ପୂଜା ପାଳନ କରାଯାଉଛି। ସେହିପରି କୁଲାଡ଼ ଗ୍ରାମର କୁଲାଡ଼ ଛକ, ବିଗ୍‌ ପଣ୍ଡ, ମା’ ବ୍ରହ୍ମୟାଣୀ, ଫ୍ରେଣ୍ଡସ କ୍ଲବ, ସାହାର କ୍ଲବ, ପ୍ରିନ୍ସ କ୍ଲବ, ବଣିକ ସଂଘ, ଆଲୁମିନିୟମ ହାଇସ୍କୁଲ କମିଟି ଓ ବାବାସ କ୍ଲବ ଆଦି ୯ ମଣ୍ଡପରେ ପୂଜା ଚାଲିଛି। ସେହିପରି ଗିରାଙ୍ଗ ବଣିକ ସଂଘ ପକ୍ଷରୁ ପୂଜା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମା’ଙ୍କ ଭସାଣି ଉତ୍ସବ ଆୟୋଜନ କରାଯାଇଥିଲା। ବିଭିନ ବାଦ୍ୟ, ନୃତ୍ୟରେ ଗିରଙ୍ଗ ଛକଠାରୁ ଶୋଭାଯାତ୍ରା ବାହାରିଥିଲା। ନାଲ୍‌କୋ ନଗର ପରିକ୍ରମା କରାଯିବା ପରେ ଦେବୀଙ୍କୁ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା। ବଜାରର ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ।