ବେଦମାତା ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୪।୧୦: କାଳୀପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ସୋମବାର ଚଳଚଞ୍ଚଳ ହୋଇଉଠିଛି । ପବିତ୍ର ଦୀପାବଳିଠାରୁ ୭ ଦିନ ମା’ଙ୍କ ସପ୍ତମାତୃକା ବେଶ ହୋଇଥାଏ । ସୋମବାର ପ୍ରଥମ ଦିନରେ ସେବାୟମାନେ ମା’ଙ୍କୁ ବେଦମାତା ବେଶରେ ପୂଜାର୍ଚ୍ଚନା କରିଛନ୍ତି । ନିକଟସ୍ଥ ଆହାରପଦା ଘାଟରୁ ଘଟୋତ୍ତୋଳନ କରାଯାଇ ସ୍ଥାପନ ପରେ ବିଧି ଅନୁସାରେ ପୂଜା ଆରମ୍ଭ କରାଯାଇଛି। ମା’ଙ୍କ ଏହି ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ୨୧ଜଣ ପଣ୍ଡିତଙ୍କ ଦ୍ୱାରା ମହାଯଜ୍ଞ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନ ମହାକାଳୀ, ତୃତୀୟ ଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମ ଦିନ ଜଗଦ୍ଧାତ୍ରୀ, ଷଷ୍ଠ ଦିନ ମହାସରସ୍ବତୀ, ସପ୍ତମ ଦିନ ମହାଲକ୍ଷ୍ମୀ ବେଶରେ ମା’ ପୂଜା ପାଇବେ।