ମଧ୍ୟରାତ୍ରିରେ ଶୁଭେ ମା’ଙ୍କ ଶଙ୍ଖା ଝମ୍‌ଝମ୍‌ ଶବ୍ଦ

ଆରଡ଼ି,୨୭ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଳକ ବ୍ରାହ୍ମଣପାଳରେ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି। ସୋମବାରଠାରୁ ଆରମ୍ଭ ହୋଇଥିବା ପୂଜା ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ବନ୍ଦ ରହିଥିଲା। ବୁଧବାର ବିଧି ମୁତାବକ ପୂଜା ହୋଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଭକ୍ତମାନେ ମା’ଙ୍କ ପ୍ରିୟ ଭୋଗ କାକରା, ମାଲପୁଆ, ଆରିସା, ଜିଲାପି, ଖୁଡୁମା, ଉଖୁଡ଼ା ଆଦି ଭୋଗ କିଣି ମା’ଙ୍କ ପାଖରେ ସମର୍ପଣ କରିଥିଲେ।

କାଳୀପୂଜାର ବହୁ କିମ୍ବଦନ୍ତୀ ରହିଛି। ଏଠାରେ ମା’କାଳୀଙ୍କ ବ୍ରହ୍ମପିତୁଳା ମହାକାଳୀଙ୍କ ବିଗ୍ରହରେ ସ୍ଥାପନ କରାଯାଇ ୫ ଦିନ ଧରି ପୂଜା କରାଯାଇଥାଏ। ଅନ୍ୟ କୌଣସି ଶକ୍ତିପୀଠରେ ଏଭଳି ପରମ୍ପରା ପରିଲକ୍ଷିତ ହୁଏ ନାହିଁ। ବଡ଼ପଣ୍ଡା (ପୂଜକ) ସନ୍ତୋଷ ପଣ୍ଡା କୁହନ୍ତି, ପ୍ରାୟ ୧ ହଜାର ୨ ଶହ ବର୍ଷତଳେ ବାଂଲାଦେଶର ରାଜସାଜି ଜିଲାରୁ ତାଙ୍କର ପୂର୍ବଜ କାଳନ୍ଦୀ ପଣ୍ଡା ଜଣେ ଭାରୁଆ ସହ ନିଜ ଗ୍ରାମ ଯାଜପୁରର ଶିରିଆପୁରକୁ ସ୍ବର୍ଣ୍ଣମୁଦ୍ରା ଭାରନେଇ ଆସୁଥିଲେ। ମା’କାଳି ତାଙ୍କ ପଛେପଛେ ଆସୁଥିଲେ। ତାଙ୍କୁ ସ୍ବପ୍ନରେ ପଛକୁ ନ ଚାହିଁବା ପାଇଁ ମା’ କହିଥିଲେ। କିଛି ଶବ୍ଦ ନ ଶୁଭିବାରୁ କାଳନ୍ଦୀ ପଛକୁ ଚାହିଁ ଦେଲେ। ସେଠାରେ (ବ୍ରାହ୍ମଣପାଳରେ) ମା’ ସେହି ଦିନଠାରୁ ଅବସ୍ଥାନ କରିଛନ୍ତି ବୋଲି ଶୂନ୍ୟବାଣୀ ହୋଇଥିଲା। ପରଦିନ ସେଠାରେ ଏକ ସିନ୍ଦୁର ମୁଣ୍ଡା (ବ୍ରହ୍ମ ପିତୁଳା) ମିଳିଥିଲା। ଏହାକୁ ମା’ କାଳୀଙ୍କ ବ୍ରହ୍ମ ସୂରୂପ ତାଙ୍କ ବଂଶଜମାନେ ପୂଜାର୍ଚ୍ଚନା କରିଆସୁଛନ୍ତି। ଦୀର୍ଘ ୧୨ ଶହ ବର୍ଷଧରି ଏହି ବ୍ରହ୍ମ ପିତୁଳାରେ ପ୍ରତିମାସ ଅମାବାସ୍ୟାରେ ୫ ଗ୍ରାମରୁ ଅଧିକ ସିନ୍ଦୁର ଲଗାଉଥିଲେ ବି ବ୍ରହ୍ମ ପିତୁଳାର ଆକାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ପ୍ରତିବର୍ଷ ଦଶହରା ପରଦିନ ମା’ଙ୍କ ବିଗ୍ରହ ଗଠନ ବେଳେ ବ୍ରହ୍ମପିଣ୍ଡକୁ ସେଥିରେ ଅବସ୍ଥାପିତ କରାଯାଏ। ଭସାଣି ପରଦିନ ଆଣି ପୂଜାସ୍ଥଳରେ ପୂର୍ବପରି ରଖାଯାଏ ବୋଲି ପୁରୋହିତ ଉମାକାନ୍ତ ମିଶ୍ର କହିଛନ୍ତି। ଶକ୍ତିପୀଠ ନିକଟସ୍ଥ ନଦୀଗାଁ ଗ୍ରାମର ଉମାକାନ୍ତ ଦାସ କୁହନ୍ତି ତାଙ୍କ ବାପା ରାମଚନ୍ଦ୍ର ଦାସ ଏହି ଗ୍ରାମର ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ। ସେ ଗଭୀର ନିଶିଥ(ମଧ୍ୟରାତ୍ରି)ରେ ବହୁଥର ମା’ଙ୍କ କାଚ ଝମ୍‌ଝମ୍‌ ଶବ୍ଦ ଶୁଣିଥିବା ଓ ଅନ୍ୟମାନଙ୍କୁ ଶୁଣାଇଥିବା କହିଥିଲେ। ସେହିପରି ସ୍ଥାନୀୟ ବାସିନ୍ଦା ମଧ୍ୟ ଏଠାରେ ଅର୍ଦ୍ଧରାତ୍ରରେ ଝୁଣା ବାସ୍ନା ହେଉଥିବା ଉପଲବ୍ଧି କରିଥିବା କହିଛନ୍ତି।