ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ, ନନ୍ଦପୁର ତହସିଲର ଛେଲିଆମୁଣ୍ଡା ମୌଜାର ଖାତା ନମ୍ବର୮୫ ଓ ପ୍ଲଟ ନମ୍ବର ୭୫୫ରେ ୫ ଏକର ସରକାରୀ ଜମି ବିଦ୍ୟାଳୟ ନିର୍ମାଣ ପାଇଁ ଉପଲବ୍ଧ ରହିଛି। ଏହି ବିଦ୍ୟାଳୟ ସ୍ଥାପନ ହେଲେ ଛେଲିଆମୁଣ୍ଡା ସହ ବିଲେଇପୁଟ, ମେହେଡ଼ିପୁଟ, ବଡ଼ ଟାଙ୍କୁଆ, ବଡଲିପଣ୍ଡି, ଗୁଲପଣ୍ଡି ଓ ସିଡ଼ାପୁଟ ଆଦି ଗ୍ରାମର ଶିଶୁମାନେ ଉନ୍ନତମାନର ଶିକ୍ଷା ପାଇବାର ସୁଯୋଗ ପାଇବେ। ତେଣୁ ରାଜ୍ୟ ସରକାର ଛେଲିଆମୁଣ୍ଡା ଗ୍ରାମରେ ଶୀଘ୍ର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମର ଡମ୍ବରୁ ଗୁଣ୍ଠା ଓ ଦାମୋଦର ମୁଦୁଲି ଦାବି କରିଛନ୍ତି।

ଏ ସମ୍ପର୍କରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଅପରାହ୍ନରେ କୋରାପୁଟ ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଓ ବିଭାଗୀୟ ଯାନ୍ତ୍ରିକ ସହାୟକ ନନ୍ଦପୁର ବ୍ଲକର ଛେଲିଆମୁଣ୍ଡା ଗ୍ରାମକୁ ଯାଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share