ବକୁଳବନ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର/ଖୋର୍ଦ୍ଧା, ୮।୬ (ରବିନାରାୟଣ ଜେନା/ ପ୍ରଭାତ ପାଣିଗ୍ରାହୀ)
ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବଦ୍ଧପରିକର। ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା କୁମାରବସ୍ତଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା, ଠିକ୍‌ ସେହି ଢାଞ୍ଚାରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରସ୍ତୁତ କରାଯାଉଛି। ଚଳିତବର୍ଷ ଜାନୁଆରୀରେ ବାଣପୁରଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ବାଣପୁରରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ଏବଂ ଏବେ ୨୦୪ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ବର୍ତ୍ତମାନ ୩୨୨ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଶିକ୍ଷା ହେଉଛି ଜଣେ ଛାତ୍ରର ଶିକ୍ଷାଗ୍ରହଣର ମୂଳଦୁଆ। ମୂଳଦୁଆ ଯେତିକି ସୁଦୃଢ଼ ହେବ, ପିଲାର ଭବିଷ୍ୟତ ସେତିକି ଉଜ୍ଜ୍ୱଳ ହେବ। ତେଣୁ, ଆମ ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ବାତାବରଣ ସୁଦୃଢ଼ ଏବଂ ସଙ୍ଗଠିତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ପିଲାମାନେ ସର୍ବୋତ୍ତମ ଓ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ। ବର୍ତ୍ତମାନ ବଦଳୁଥିବା ନିଯୁକ୍ତି ବଜାରରେ ପିଲାମାନେ କେବଳ ପାଠ ପଢ଼ିବା ଯଥେଷ୍ଟ ନୁହେଁ, ବରଂ ସେମାନେ କିପରି ନିଯୁକ୍ତିଯୋଗ୍ୟ ହୋଇପାରିବେ, ସମସ୍ୟାର ସମାଧାନ କରିପାରିବେ ଏବଂ ସୃଜନଶୀଳ ହେବେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ରାଜ୍ୟର ଶିକ୍ଷକ ଅଭାବ ସମସ୍ୟାକୁ ଗମ୍ଭୀରତାର ସହ ନେଇ ବିଗତ ୨ ବର୍ଷ ମଧ୍ୟରେ ୨୬,୬୧୫ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆମେ ପଦକ୍ଷେପ ନେଉଛୁ। ଚାଇଲଡ୍‌ ଟ୍ରାର୍କିଂ ସର୍ଭେ ଓ ଆସ ସ୍କୁଲ ଯିବା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ବାହାରେ ଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ପୁଣି ଫେରାଇ ଅଣାଯାଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ଜାତି ତା’ର ଶିକ୍ଷା ବ୍ୟବସ୍ଥାକୁ ଯେତେ ବିକଶିତ କରିଛି, ସେ ଜାତି ଆଗକୁ ବଢ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପିଲାମାନେ ଭଲ ଶିକ୍ଷା ଗ୍ରହଣ କଲେ, ସେମାନେ ନିଜର ଭବିଷ୍ୟତ ଗଠନ କରିବା ସହ ଦେଶ ଓ ରାଜ୍ୟର ପ୍ରଗତିରେ ଯୋଗଦାନ ଦେବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶିକ୍ଷା ବ୍ୟବଧାନକୁ ହ୍ରାସ କରିବାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବଡ଼ ଭୂମିକା ନିଭାଇବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକାଶ ଦିଗରେ ପୂର୍ବରୁ କୌଣସି ସରକାର ଆନ୍ତରିକତାର ସହ କାମ କରୁ ନ ଥିଲେ। ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ୨ ବର୍ଷ ମଧ୍ୟରେ ୨୬,୦୦୦ ସ୍କୁଲକୁ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ମୟୂରଭଞ୍ଜ ଜିଲା ଦେଉଳୀ ସ୍କୁଲର ଛାତ୍ରୀ ଅଭୀଲିପ୍ସା ସିଂଙ୍କ ସମେତ ବିଭିନ୍ନ ଛାତ୍ରୀଛାତ୍ରଙ୍କ ସହିତ ପାଠପଢ଼ା ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ, ଖୋର୍ଦ୍ଧା ଜିଲାପାଳ ଅମ୍ରିତ୍‌ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share