ତିନି ତୁଣ୍ଡରେ ଛେଳି କୁକୁର

ଅକ୍ଷୟ କୁମାର ମିଶ୍ର

 

ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମ ଦେଶ ଭାରତ ବିଶ୍ୱ ଦରବାରରେ ସୁଖ୍ୟାତି ଅର୍ଜନ କରିଛି ବୋଲି ସବୁଠି ପ୍ରଚାର ହେଉଛି। ଏଠାରେ ସର୍ବାଧିକ କ୍ଷମତା ସାଧାରଣ ଲୋକଙ୍କ ହାତରେ ବୋଲି କୁହାଯାଉଛି। ଦେଶର ଶାସନ ଡୋରି କାହା ହାତରେ ରହିବ ଏହାର ଲଗାମ ଲୋକଙ୍କ ପାଖରେ, ଏହା ହିଁ ବ୍ୟବସ୍ଥା। ଆମ ଦେଶର ଗଣତନ୍ତ୍ର କୁଆଡ଼େ କ୍ରମଶଃ ପରିପୁଷ୍ଟ ହେଉଛି। ଏହା ଏବେ ମହାଦ୍ରୁମରେ ପରିଣତ ହେଲାଣି। ଏହାର ଚେର ସମାଜ ମୃତ୍ତିକାର ଏତେ ଗଭୀରକୁ ଗଲାଣି ଯେ, କୌଣସି ଅଶୁଭ ଶକ୍ତି ଏହାର ମୂଳୋପତ୍ାଟନ କରିପାରିବ ନାହିଁ। ସମଗ୍ର ବିଶ୍ୱ ପାଇଁ ଆମ ଦେଶ ଉଦାହରଣ ହୋଇ ଛିଡ଼ା ହୋଇଛି, ଇତ୍ୟାଦି…। କିନ୍ତୁ ଏ ସମସ୍ତ କଥା ଓ ସମ୍ପ୍ରତି ଘଟି ଚାଲିଥିବା କିଛି ଘଟଣାବଳୀକୁ ନେଇ ପର୍ଯ୍ୟାଲୋଚନା କଲେ କେଉଁଠି ନା କେଉଁଠି ହତାଶ ହେବାକୁ ପଡ଼େ। ରାଜନୈତିକ ଅଭିସନ୍ଧି ନିକଟରେ ଗଣତନ୍ତ୍ରର ରଙ୍ଗ କ୍ରମେ ଫିକା ପଡ଼ିଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏମିତି କି ଲୋକତନ୍ତ୍ରର ମହତ୍‌ ଉଦ୍ଦେଶ୍ୟ ଦଳୀୟ ସଂକୀର୍ଣ୍ଣ ସ୍ବାର୍ଥ ନିକଟରେ ହାର୍‌ ମାନୁଛି। ପ୍ରତାରଣା, ପ୍ରବଞ୍ଚନା, ପ୍ରତିହିଂସା ପରାୟଣ ରାଜନୀତି ସାଧାରଣ ଜନତାଙ୍କୁ ଅଣନିଃଶ୍ୱାସୀ କରି ପକାଇଲାଣି।
ଅବଶ୍ୟ ଯେତେ ଶାସନ ବ୍ୟବସ୍ଥା ଅଛି ତା’ ମଧ୍ୟରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ହେଉଛି ସର୍ବୋତ୍କୃଷ୍ଟ, ଏହା ଦୃଢ଼ତାର ସହିତ କୁହାଯାଇ ପାରେ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି ଆମ ଦେଶର ଶାସନ ବ୍ୟବସ୍ଥାରେ ଏଣିକି ବହୁ ବିଲକ୍ଷଣ ପରିଲକ୍ଷିତ ହେଉଛି; ଯାହା ଫଳରେ ସାଧାରଣ ଲୋକଙ୍କ ଭିତରେ ଯେଉଁ ଅତୁଟ ବିଶ୍ୱାସ, ଦୃଢ଼ ଆସ୍ଥା ଓ ବିରାଟ ଭରସା ଥିଲା ତାହା ଦୁର୍ବଳ ହେବାରେ ଲାଗିଛି ଏବଂ ବହୁଲୋକ ଏ ପ୍ରକାର ଶାସନ ବ୍ୟବସ୍ଥା ବିରୋଧରେ ତୁଣ୍ଡ ଖୋଲିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ଼ ବିଲକ୍ଷଣ ହେଲା ତିନି ତୁଣ୍ଡରେ ଛେଳି କୁକୁର। ସଂଖ୍ୟାଗରିଷ୍ଠ ଲୋକଙ୍କ ମତ ସଂଖ୍ୟା ଲଘୁ ଉପରେ ଭାରି ପଡ଼ୁଛି।
ଯଦିଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମୁଖ୍ୟତଃ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପରି ତ୍ରିସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇଥାଏ, କିନ୍ତୁ ବ୍ୟବସ୍ଥାପିକା ହେଉଛି ଏହି ଶାସନ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶାସକ ଓ ବିରୋଧୀଙ୍କୁ ନେଇ ଆମ ବ୍ୟବସ୍ଥାପିକା ସଭା ଗଠିତ। ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କିଏ ସରକାର ଗଢ଼ିବ ଆଉ କିଏ ବିରୋଧୀ ଆସନରେ ବସିବ ତାହା ନିର୍ବାଚନ ମାଧ୍ୟମରେ ସ୍ଥିର ହୋଇଥାଏ। ନିର୍ବାଚନ ପରେ ଶାସକ ଶ୍ରେଣୀ ଓ ବିରୋଧୀ ମଧ୍ୟରେ ଯେଉଁ ସମନ୍ବୟର ଆବଶ୍ୟକତା ରହିଛି ତାହା ଆମ ଦେଶରେ ଦୃଶ୍ୟମାନ ହେଉନାହିଁ। ଅନେକ ସମୟରେ ନିର୍ବାଚନରେ ମିଳିଥିବା ଜନ ସମର୍ଥନକୁ ଟ୍ରମ୍ପ କାର୍ଡ ଭାବରେ ବ୍ୟବହାର କରିବା ଏବଂ ବିରୋଧୀଙ୍କ ସ୍ବରକୁ ଗୁରୁତ୍ୱ ନ ଦେବା ଶାସକ ଶ୍ରେଣୀ ନିକଟରେ ଏକ ରାଜନୈତିକ ଅପସଂସ୍କୃତିର ଆବିର୍ଭାବ ଘଟୁଛି।
ଦିଲ୍ଲୀରୁ ପଲ୍ଲୀ ଅର୍ଥାତ୍‌ ସଂସଦରୁ ପଞ୍ଚାୟତ ସବୁଠି ସମାନ ଦୃଶ୍ୟ। ନିର୍ବାଚନ ସମୟରେ ସେବକ। ଏକା ସାଥିରେ ପଖାଳ ଖାଇବାଠାରୁ ଆରମ୍ଭ କରି ଶବ କାନ୍ଧେଇବା, ରାଜଦ୍ୱାରଠାରୁ ଶ୍ମଶାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାଥୀ ହେବାର ଭରସା ଦେବାରେ ରାଜନେତାମାନେ ଯେଉଁ ସମ୍ବେଦନଶୀଳତା ପ୍ରଦର୍ଶନ କରନ୍ତି ନିର୍ବାଚନ ପରେ ତାହା ଦେଖିବାକୁ ମିଳୁନାହିଁ। ନିର୍ବାଚନ ସମୟରେ ପ୍ରତିଶ୍ରୁତିର ବନ୍ୟା ଥିବାବେଳେ ନିର୍ବାଚନ ପରେ ପ୍ରତାରଣାର ଜୁଆର ସ୍ପଷ୍ଟ ବାରିହୋଇ ପଡୁଛି। ସିଂହାସନରେ ବସିବା ପରେ ସାଧାରଣ ଲୋକଙ୍କ ସ୍ବର ଭିତରେ ବିରୋଧୀଙ୍କ ଗନ୍ଧ ସଙ୍ଗେ ସଙ୍ଗେ ନାକରେ ବାଜିଯାଏ। ଯେକୌଣସି ଅଭିଯୋଗ, ଆପତ୍ତି, ବିରୋଧ, ପ୍ରତିବାଦକୁ ଶାସକ ଶ୍ରେଣୀ ସହଜରେ ହଜମ କରିପାରୁନାହିଁ। ଅଧିକନ୍ତୁ ଏହା ବିରୋଧୀ ବାଲାଙ୍କ ରାଜନୀତି କହି ଅଧିକ ପ୍ରତିଶୋଧ ପରାୟଣ ହେବା ଦେଖିବାକୁ ମିଳୁଛି।
ନିଜ ଇଚ୍ଛା, ଅଭୀପ୍‌ସା, ମତଲବି ମତବାଦକୁ ରାଷ୍ଟ୍ର ଉପରେ ଲଦିଦେବାର ଏକ ବିକୃତ ମାନସିକତା ଆମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯେପରି କି ସମ୍ବିଧାନର ୩୫୨ ଧାରାର ଅପପ୍ରୟୋଗ କରି ୧୯୭୫ରୁ ୧୯୭୭ମସିହା ପର୍ଯ୍ୟନ୍ତ ଆମ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁକରି ପ୍ରତିବାଦର ସ୍ବରକୁ କ୍ଷୀଣ କରିଦେବା ଥିଲା ତତ୍କାଳୀନ ସରକାରର ଭିତିରି ଉଦ୍ଦେଶ୍ୟ। ଠିକ୍‌ ସେମିିତି ସମାଲୋଚନାକୁ ସହି ନ ପାରି ବାକ୍‌ ସ୍ବାଧୀନତା ଏବଂ ସ୍ବାଧୀନ ମତ ପୋଷଣ ଉପରେ ରୋକ୍‌ ଲଗାଇବା ନିମନ୍ତେ ଭାରତର ଦଣ୍ଡବିଧି ସଂହିତା ୧୨୪-କ ଧାରାକୁ ସରକାର ଆତ୍ମରକ୍ଷା ପାଇଁ ଶକ୍ତିଶାଳୀ ଅସ୍ତ୍ର ରୂପେ ପ୍ରୟୋଗ କରିବା ଆରମ୍ଭ କରିଛନ୍ତି ା ସମସ୍ତଙ୍କ ନିକଟରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସୁଫଳ ପହଞ୍ଚାଇବା ଏବଂ ସରକାରୀ କଳର ଦୋଷ, ଦୁର୍ବଳତା, ମନମାନି ବିରୋଧରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଯେଉଁ ଗଣମାଧ୍ୟମ ଏବଂ ଗଣ ପ୍ରତିନିଧିମାନେ କାର୍ଯ୍ୟ କରନ୍ତି ସେମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରି କି ସଚେତନତା ଆଣିବା ପାଇଁ ଯେଉଁମାନେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନକୁ ମନଇଚ୍ଛା ଲାଗୁ କରିବା କ୍ଷମତା ଅପବ୍ୟବହାରର ନଗ୍ନ ନମୁନା। ଏ ଦିଗରେ ବିରୋଧୀଙ୍କୁ ବିଶ୍ୱାସକୁ ନିଆଯାଉ ନାହିଁ। ସେମାନଙ୍କ ସହିତ ପରାମର୍ଶ କରିବା ତ ଦୂରେ ଥାଉ ସେମାନଙ୍କର ଯୁକ୍ତିକୁ ଯୋଜନାବଦ୍ଧ ଭାବେ ଉପସ୍ଥାପିତ କରେଇ ନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ସଂସଦୀୟ ଗଣତନ୍ତ୍ରରେ ସଂସଦର ଭୂମିକାକୁ ଗୌଣ କରି ବିନା ଆଲୋଚନା ପର୍ଯ୍ୟାଲୋଚନାରେ ବହୁ କଥା କରାଯାଉଛି। ଅନେକ କଥା ବାଚନିକ ଭୋଟରେ ପାରିତ ହୋଇ ଅଥବା ଅଧ୍ୟାଦେଶ ବଳରେ ଆଇନରେ ପରିଣତ ହେଉଛି। ଏହାକୁ ତିନି ତୁଣ୍ଡରେ ଛେଳି କୁକୁର କୁହାଯିବନି ତ ଆଉ କ’ଣ କୁହାଯିବ?
ଇତିହାସ ପୃଷ୍ଠା ଓଲଟାଇଲେ ରାଜାମାନଙ୍କର ଖିଆଲି ଶାସନରେ ଶାସିତ ପ୍ରଜାର କରୁଣ ଚିତ୍କାର କେମିତି ରାଜପ୍ରାସାଦ ଭିତରେ ମିଳାଇ ଯାଇଛି ତା’ର ଅସଂଖ୍ୟ ଦୃଶ୍ୟ ଆଜି ବି ଭାରତବାସୀଙ୍କୁ ସ୍ମରଣ କରାଇଦିଏ। ରାଜା ଯାହା ସ୍ବପ୍ନରେ ଦେଖୁଥିଲେ ତାହା କାର୍ଯ୍ୟକାରୀ ହେଉଥିଲା। ରାଜାଙ୍କର ଆଦେଶ ସମୁଦ୍ର କୂଳରେ ମନ୍ଦିର ଗଢ଼ାହେବ, ତାହା ହିଁ ହେଉଥିଲା। ରାଜାଙ୍କର ଇଚ୍ଛା ରାଣୀଙ୍କ ସ୍ମୃତି ସୌଧ ନିର୍ମାଣ ହେବ, ଯାହା କାଳକାଳକୁ ରହିଥିବ। ଅବିଳମ୍ବେ ରାଜାଙ୍କ ଇଚ୍ଛାକୁ ପୂରଣ କରାଯାଉଥିଲା। ପ୍ରତିବାଦ କରିବାର ଜୁ ନ ଥିଲା।
ତା’ପରେ ଏ ଦେଶ ଦେଖିଲା ଲୋମହର୍ଷଣକାରୀ ଉପନିବେଶବାଦ ଶାସନ ବ୍ୟବସ୍ଥା। କର ପରେ କର ବସାଇ ଶୋଷଣ କରାଗଲା ସାଧାରଣ ଜନତାଙ୍କୁ। ଏ ଦେଶର ଶିଳ୍ପ ସଂସ୍ଥାଗୁଡ଼ିକୁ ପଙ୍ଗୁ କରିଦେବା ପାଇଁ ଏଠାକାର କଞ୍ଚାମାଲ ଚାଲାଣ ହେଲା ଇଂଲଣ୍ଡକୁ। ଜାତୀୟତାକୁ ଧ୍ୱଂସ କରିବା ପାଇଁ ଆରମ୍ଭ ହେଲା ଇଂଲିଶ ଶିକ୍ଷା। ଏକତା, ସଂହତି ଓ ସଂସ୍କୃତିକୁ ଦୁର୍ବଳ କରିଦେବା ଉଦ୍ଦେଶ୍ୟରେ ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣାଗଲା। ପ୍ରତିବାଦ କଲେ ମିଥ୍ୟା କେସ୍‌, ଜେଲ, ଜରିମାନା, ଫାଶୀ ଦଣ୍ଡାଦେଶ ଦେଇ ଲୋକଙ୍କୁ ଭୟଭୀତ କରି ରଖାଗଲା।
ସାମନ୍ତବାଦର ବିଲୋପ ହେଲା। ଉପନିବେଶବାଦ ହଟିଗଲା। ନୂଆ ଅଧ୍ୟାୟର ଅୟମାରମ୍ଭ ହେଲା। ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଲା। ଏଥିପାଇଁ ନୂତନ ଖସଡ଼ା ଲେଖାଗଲା। କିନ୍ତୁ କ’ଣ ହୋଇଛି? ଶୋଷଣ କଷଣରୁ ମୁକ୍ତି ମିଳିଛି? ଅନ୍ୟାୟ ଅନୀତି ଦୁର୍ନୀତି ନାରୀ ନିର୍ଯାତନା ହ୍ରାସ ପାଇଛି? କୃଷକ ତା’ର ଉପତ୍ାଦିତ ଫସଲର ଉଚିତ ମୂଲ୍ୟ ପାଉଛି? ସାମ୍ପ୍ରଦାୟିକ ବିଦ୍ୱେଷ କମିଛି ନା ବଢ଼ିଛି? ପ୍ରତିବାଦ କଲେ ଲାଠି ପ୍ରହାର ହେଉନାହିଁ ନା ମିଥ୍ୟା କେସ୍‌ ଦିଆଯାଉ ନାହିଁ? ତେବେ ଫରକ କେଉଁଠି? ଗୋଟିଏ କମ୍ପାନୀକୁ ଅନୁକମ୍ପା ଦେଖାଇ ମୋଗଲ ସମ୍ପ୍ରାଟ ଜାହାଙ୍ଗୀର ବାଣିଜ୍ୟ କରିବାକୁ ଅନୁମତି ଦେବାପରେ ଏ ଦେଶର ଜନଗଣ ଯାହା ଭୋଗିଲେ ତାହା କ’ଣ ଆମେ ଭୁଲିଯାଇଛନ୍ତି ? ଆଜି ଯେଉଁ ବିଦେଶୀ କମ୍ପାନୀଗୁଡ଼ିକ ଆମ ଦେଶରେ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସେମାନେ ହୁଏତ ଆମକୁ ଶାସନ କରିବେ ନାହିଁ, କିନ୍ତୁ ଅର୍ଥନୈତିକ ସ୍ବାଧୀନତା ଆମଠାରୁ ହରଣ କରୁନାହାନ୍ତି କି?
ଏ ସମସ୍ତ ପ୍ରଶ୍ନ ମନରେ ଉଙ୍କିମାରିଲା ବେଳେ ଦେଶରେ ରାଜନୈତିକ ମତାଦର୍ଶଗତ ପାର୍ଥକ୍ୟ ଉଗ୍ରରୂପ ଧାରଣ କରୁଥିବା ଦେଖିବାକୁ ମିଳୁଛି। ଅସହିଷ୍ଣୁତା ବଢ଼ୁଛି। ଭିନ୍ନ ମତପୋଷଣ କରୁଥିବା ଲୋକଙ୍କୁ ରାଷ୍ଟ୍ରଦ୍ରୋହୀ ଅଥବା ଦେଶଦ୍ରୋହୀ ବୋଲି ଆଖ୍ୟା ଦିଆଯାଉଛି। ଏହା ଗଣତନ୍ତ୍ରକୁ ବଳିଷ୍ଠ କରିବ ନାହିଁ। ସଂଖ୍ୟାଗରିଷ୍ଠତା ଆଧାରରେ ସରକାର ଗଢ଼ିବା ବିଧେୟ, କିନ୍ତୁ ଏହାକୁ ଭିତ୍ତିକରି ଶାସନ ପରିଚାଳିତ ହେଲେ ସାମଗ୍ରିକ ବିକାଶ ସମ୍ଭବ ନୁହେଁ। ସମସ୍ତଙ୍କ ମତକୁ ସମ୍ମାନ ଦେବା, ସମସ୍ତଙ୍କୁ ଶୁଣିବାର ଧୈର୍ଯ୍ୟ ରଖିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ପରିଭାଷା ହେବା ଉଚିତ। ତିନି ତୁଣ୍ଡରେ ଛେଳିକୁ କୁୁକୁର କୁହାଇ କୁହୁଡ଼ିର କୁହେଳିକା ସୃଷ୍ଟି କରା ନ ଯାଉ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା, ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri