ୱାଶିଂଟନ/ଲଣ୍ଡନ, ୩୧ା୮
ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜଳବାୟୁ ସମ୍ପର୍କ ଭାଙ୍ଗିବାରେ ଲାଗିଛି। ‘ନେଚର କମ୍ୟୁନିକେଶନ୍ସ’ ଜର୍ନାଲରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ଗବେଷକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳୀୟ ପ୍ରବାହ ଏବଂ ଭାରତୀୟ ମହାସାଗରର ତାପମାତ୍ରା ମଧ୍ୟରେ ଥିବା ସମ୍ପର୍କ ଗତ କିଛି ଦଶନ୍ଧି ମଧ୍ୟରେ ନାଟକୀୟ ଭାବେ ବଦଳିଯାଇଛି। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ଉତ୍ତାପ ବା ବାୟୁମଣ୍ଡଳୀୟ ପରିବର୍ତ୍ତନ ଘଟିଲେ, ତାହାର ପ୍ରଭାବ ବାୟୁମଣ୍ଡଳ ମାଧ୍ୟମରେ ବହୁ ହଜାର କିଲୋମିଟର ଦୂରରେ ଥିବା ଭାରତୀୟ ମହାସାଗର ଉପରେ ପଡ଼ିଥାଏ। ଏହି ଦୁଇ ମହାସାଗରର ସମ୍ପର୍କ ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆ ଭଳି ଜନବହୁଳ ଅଞ୍ଚଳରେ ବର୍ଷା ଓ ପାଣିପାଗ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଗ୍ରୀନ୍ହାଉସ୍ ଗ୍ୟାସ୍ ବୃଦ୍ଧି ଯୋଗୁ ୧୯୫୦ ମସିହା ପରଠାରୁ ଭାରତୀୟ ମହାସାଗରର ତାପମାତ୍ରା ପ୍ରତି ଦଶନ୍ଧିରେ ପ୍ରାୟ ୦.୧ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଉଛି। ଅପରପକ୍ଷରେ, ୧୯୮୦ ଦଶକରୁ ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳୀୟ ସଂଚାଳନ ଅଧିକ ଶକ୍ତିଶାଳୀ ହୋଇଛି।
ଫଳରେ ଏହି ଦୁଇ ମହାସାଗର ମଧ୍ୟରେ ଥିବା ସାଧାରଣ ସମ୍ପର୍କ ଓଲଟପାଲଟ ହୋଇଯାଇଛି ଏବଂ ଭାରତୀୟ ମହାସାଗର ଆଉ ପୂର୍ବପରି ପ୍ରଶାନ୍ତ ମହାସାଗରର ସଙ୍କେତକୁ ଅନୁସରଣ କରୁନାହିଁ।
‘ଉଡ୍ସ ହୋଲ୍ ଓସେନୋଗ୍ରାଫିକ ଇନ୍ଷ୍ଟିଚ୍ୟୁଶନ’ର ଜଳବାୟୁ ବୈଜ୍ଞାନିକ କ୍ୟାରୋଲିନ ଉମେନ୍ହୋଫର୍ କହିଛନ୍ତି, ମାନବକୃତ ପ୍ରଦୂଷଣ ଓ ବିଶ୍ୱ ଉତ୍ତାପ ବୃଦ୍ଧି ଯୋଗୁ ପ୍ରଶାନ୍ତ ମହାସାଗରର ପ୍ରାକୃତିକ ପ୍ରଭାବ ଭାରତୀୟ ମହାସାଗର ଉପରୁ ହ୍ରାସ ପାଉଛି। ‘ୟୁନିଭର୍ସିଟି ଅଫ୍ କୋଲୋରାଡୋ ବୋଲଡର୍’ର ମୁଖ୍ୟ ଗବେଷକ ଶନ ୱାଙ୍ଗ ଏବଂ ତାଙ୍କ ଟିମ୍ ସମୁଦ୍ରର କୋରାଲ (ଶୈବାଳ/ପ୍ରବାଳ), ବୃକ୍ଷର ବଳୟ ଏବଂ ଗୁମ୍ଫାର ଆକ୍ୱାଟିକ ରେକର୍ଡ ସାହାଯ୍ୟରେ ୧୬୩୧ରୁ ୧୯୯୦ ମସିହା ପର୍ଯ୍ୟନ୍ତ (ପ୍ରାୟ ୪୦୦ ବର୍ଷର) ଜଳବାୟୁ ଇତିହାସ ଗବେଷଣା କରିଥିଲେ। ୧୮୧୦ରୁ ୧୮୫୦ ମସିହା ମଧ୍ୟରେ ଅନେକ ଆଗ୍ନେୟଗିରି ଉଦ୍ଗିରଣ (ଯେପରିକି ୧୮୧୫ରେ ଇଣ୍ଡୋନେସିଆର ମାଉଣ୍ଟ ତାମ୍ବୋରା ଆଗ୍ନେୟଗିରି ଉଦ୍ଗିରଣ) ଯୋଗୁ ଏହି ସମ୍ପର୍କ କିଛି ସମୟ ପାଇଁ ଦୁର୍ବଳ ହୋଇଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତି ୧୯୪୫ରୁ ୨୦୨୫ ମଧ୍ୟରେ ଯେଉଁ ସ୍ତରରେ ପହଞ୍ଚିଛି, ତାହା ଗତ ୧୦୦୦ ବର୍ଷ ମଧ୍ୟରେ ସବୁଠାରୁ ଅସାଧାରଣ। ଦୁଇ ମହାସାଗର ମଧ୍ୟରେ ଥିବା ସ୍ଥିର ସମ୍ପର୍କ ଦ୍ୱାରା ବୈଜ୍ଞାନିକମାନେ ଆଗୁଆ ବର୍ଷା, ଖରା ଓ ଜଳବାୟୁ ଆକଳନ (ପୂର୍ବାନୁମାନ) କରିପାରୁଥିଲେ। ଏହି ସମ୍ପର୍କ ଭାଙ୍ଗିଯିବା ଫଳରେ ଭବିଷ୍ୟତରେ ଜଳସମ୍ପଦ ପରିଚାଳନା, କୃଷି ଓ ଜଳବାୟୁ ବିପଦ ଆକଳନ କରିବା ଅତ୍ୟନ୍ତ ଜଟିଳ ହୋଇପଡ଼ିବ।