Categories: ଖେଳ

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ ବେୟାରଷ୍ଟୋ (୧୧୨)ଙ୍କ ଶତକ ବଳରେ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୩୦୨ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨ଟି ବଲ୍‌ ପୂର୍ବରୁ ସମାନ ସଂଖ୍ୟକ ଉଇକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଭ୍ରମଣକାରୀ ଅଷ୍ଟ୍ରେଲିଆ ଏକଦା ୭୩ ରନରେ ୫ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏପରିକି ସହଜରେ ମ୍ୟାଚ୍‌ ହାରିଯିବ ବୋଲି ଲାଗୁ ଥିଲା। କିନ୍ତୁ ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ୍‌ (୧୦୮) ଓ ଉଇକେଟ୍‌କିପର ଆଲେକ୍ସ କେରୀ (୧୦୬)ଙ୍କ ଶତକ ବଳରେ ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା ଅଷ୍ଟ୍ରେଲିଆ।
୯୦ ବଲରୁ ୪ ଚୌକା ଓ ୭ ଛକା ସହାୟତାରେ ୧୦୮ ରନ କରିଥିଲେ। ଏଥିସହ ସେ ଦିନିକିଆ କ୍ରିକେଟ୍‌ରେ ୩ ହଜାର ରନ୍‌ ପୂରଣ କରିଛନ୍ତି। କମ୍‌ ସଂଖ୍ୟକ ବଲ୍‌ ଖେଳି ଦିନିକିଆରେ ୩ ହଜାରରେ ରନ୍‌ ପୂରଣ କରିବାର ରେକର୍ଡ ମ୍ୟାକ୍ସଓ୍ବେଲଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହିକ୍ରମରେ ସେ ଜୋଶ୍‌ ବଟଲର୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ବଟ୍‌ଲର ୨୫୩୨ ବଲ୍‌ ଖେଳି ୩ ହଜାର ରନ୍‌ ପୂରଣ କରିଥିବାବେଳେ ମ୍ୟାକ୍ସଓ୍ବେଲ୍‌ ୨,୪୪୦ ବଲ୍‌ ଖେଳି ଏହି ମାଇଲଷ୍ଟୋନ୍‌ ଅତିକ୍ରମ କରିଛନ୍ତି। କମ୍‌ ବଲ୍‌ ଖେଳି ୩ ହଜାର ଦିନିକିଆ ରନ୍‌ ପୂରଣ କରିଥିବା ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ତାଲିକାରେ ମ୍ୟାକ୍ସଓ୍ବେଲ୍‌ ଓ ବଟ୍‌ଲରଙ୍କ ପଛକୁ ଜାସନ ରୟ (୨,୮୨୪ ବଲ୍‌), ଜନ୍ନୀ ବେୟାରଷ୍ଟୋ (୨,୮୪୨) ଓ କପିଳ ଦେବ (୨,୯୫୭) ରହିଛନ୍ତି।

Share