ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜ ପ୍ରତିଭା ଓ କଠିନ ସାଧନା ବଳରେ ଜାତୀୟ ସ୍ତରରେ ବିଜେତା ହୋଇ ରାଜ୍ୟ ପାଇଁ ସେ ଗୌରବ ଆଣିଥିବା କହିଛନ୍ତି। ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ ଟ୍ରଫି ପ୍ରଦର୍ଶନ କରିବା ସହିତ ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ।
ଜ୍ୟୋତିର୍ମୟୀ ତାଙ୍କର ସଙ୍ଗୀତ ପ୍ରତିଭାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଉପଯୋଗ କରୁଛନ୍ତି। ରାଜ୍ୟର ଅନେକ କ୍ୟାନ୍ସର ହସ୍ପିଟାଲରେ ମ୍ୟୁଜିକ୍ ଥେରାପି ପ୍ରୟୋଗ କରି ସେମାନଙ୍କ କଷ୍ଟ ଲାଘବ କରିବାରେ ସହାୟତା କରୁଛନ୍ତି। ତାଙ୍କର ଏହି ପ୍ରତିଭା ଓ ସେବା ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ସାରା ରାଜ୍ୟ ତଥା ଦେଶର ଜଣେ ‘ଯୁବ ଆଇକନ୍’। ସଙ୍ଗୀତକୁ ରୋଗୀଙ୍କ ସେବା କ୍ଷେତ୍ରରେ ବ୍ୟବହାର କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ। ଏଥିସହ ଏହା ଓଡିଶାର କଳା ପ୍ରତିଭାକୁ ଜାତୀୟସ୍ତରରେ ଆହୁରି ଉଜ୍ଜ୍ୱଳ କରିଥିବା ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଡ. ପ୍ରିୟଙ୍କା ମାରାଣ୍ଡି, ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜ୍ୟୋତିର୍ମୟୀଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍ରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି।