ମୋବାଇଲ ଦିଅ, ଷ୍ଟ୍ରେଚର ନିଅ

କଟକ ଅଫିସ, ୨୨ା୪: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏଠି କିନ୍ତୁ ରୋଗୀଙ୍କ ପାଇଁ ଅଜବ ନିୟମ କରାଯାଇଛି। ମୋବାଇଲ ବନ୍ଧକ ରଖିଲେ ଷ୍ଟ୍ରେଚର ଓ ହୁଇଲ ଚେୟାର ମିଳିବ। ତେଣୁ ବାଧ୍ୟହୋଇ ରୋଗୀ ସମ୍ପର୍କୀୟମାନଙ୍କୁ ମୋବାଇଲ ରଖିବାକୁ ପଡୁଛି। ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏସ୍‌ସିବି ମେଡିକାଲ ରାଜ୍ୟର ସବୁଠୁ ବଡ଼ ମେଡିକାଲ। ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଗୁରୁତର ରୋଗୀମାନଙ୍କୁ କାଜୁଆଲ୍‌ଟିରୁ ଦୂରରେ ଥିବା ଅଲ୍‌ଟ୍ରାସାଉଣ୍ଡ, ଏମ୍‌ଆର୍‌ଆଇ, ସିଟିସ୍କାନ, ଏକ୍ସରେ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ବୋହି ନେବାକୁ ଷ୍ଟ୍ରେଚର ଏବଂ ହୁଇଲ୍‌ ଚେୟାର ବ୍ୟବସ୍ଥା ହୋଇଛି। ମେଡିକାଲରେ ନିୟୋଜିତ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ଏଥିପାଇଁ ଅଜବ ନିୟମ ପ୍ରଣୟନ କରିଛନ୍ତି। ଆଗେ ମୋବାଇଲ୍‌ ବନ୍ଧକ ରଖି ଷ୍ଟ୍ରେଚର ନିଅ। ଏହାକୁ ଫେରାଇବା ପରେ ମୋବାଇଲ ଦିଆଯିବ ବୋଲି କୁହାଯାଉଛି। ଫଳରେ ରୋଗୀ ସମ୍ପର୍କୀୟମାନଙ୍କୁ ମୋବାଇଲ ରଖିବାକୁ ପଡୁଛି। ଏହାଦ୍ୱାରା ସେମାନେ ହଇରାଣ ହେଉଛନ୍ତି।
ଏ ସମ୍ପର୍କରେ ସମ୍ପୃକ୍ତ ଠିକା ସଂସ୍ଥାର ସୁପରଭାଇଜର ସଙ୍କେତ ନାୟକ କହିଛନ୍ତି, ଗୁରୁତର ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଷ୍ଟ୍ରେଚର, ହୁଇଲ ଚେୟାରରେ ନେଉଛନ୍ତି। ହେଲେ ମେଡିକାଲ ସାମଗ୍ରୀ ଭାବି ଯେଉଁଠି ପାରୁଛନ୍ତି, ସେଠି ପକାଇ ଦେଇ ପଳାଉଛନ୍ତି। ଫଳରେ ଷ୍ଟ୍ରେଚର, ହୁଇଲ ଚେୟାରଗୁଡ଼ିକ ଚୋରି ହୋଇଯାଉଛି। ଏଥିପାଇଁ ଅନ୍ୟ ରୋଗୀମାନେ ମଧ୍ୟ ହଇରାଣ ହେଉଛନ୍ତି। ଗତ ୫ ବର୍ଷ ଭିତରେ ୩୦ରୁ ଅଧିକ ଷ୍ଟେଚର, ହୁଇଲଚେୟାର ହଜିଗଲାଣି। ଏ ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଜଣାଇଛି। ଆମେ ରୋଗୀଙ୍କୁ କେବଳ ମୋବାଇଲ ନୁହେଁ, ଯେ କୌଣସି ଏକ ଦାମିକା ସାମଗ୍ରୀ ରଖିବାକୁ କହିଥାଉ। ଜାଣିଛୁ ରୋଗୀ ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ତଥାପି ଆମେ ବାଧ୍ୟ ହୋଇ ଏପରି ନିୟମ କରିଛୁ। ଏହାଦ୍ୱାରା ରୋଗୀ ସମ୍ପର୍କୀୟମାନେ ଶୀଘ୍ର ଷ୍ଟ୍ରେଚର, ହୁଇଲଚେୟାର ଆଣି ଫେରାଉଛନ୍ତି। ଅପରପକ୍ଷେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଏ ବିଷୟରେ ଖବର ପାଇଛି। ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ କଥା ହୋଇଛି ା ଏପରି ଅସୁବିଧା ଯେପରି ଭବିଷ୍ୟତରେ ନ ହେବ ସେଥିପାଇଁ ଆମେ ଯଥାଶୀଘ୍ର ବ୍ୟବସ୍ଥା କରିବୁ।