ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଭାସିଯାଇଥିଲେ। ସେମାନେ ହେଲେ ଧନୁପାଲି ଥାନା ପେନସନ୍‌ପଡ଼ାର ବାପା ମହମ୍ମଦ ଅଲତାଫ (୪୫), ପୁଅ ମହମ୍ମଦ ଅଫତାବ (୧୫) ଓ ଝିଅ ରୁକସାନା ବେଗମ (୧୩)। ପ୍ରଥମେ ମତ୍ସ୍ୟଜୀବୀମାନେ ପୁଅ ଅଫତାବଙ୍କ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ବାପା ଅଲତାଫଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଏବେ ବି ଝିଅ ନିଖୋଜ ଥିବାରୁ ଦମକଳ ବାହିନୀ ଓ ମତ୍ସ୍ୟଜୀବୀ ଖୋଜାଖୋଜି ଜାରି ରଖିଛନ୍ତି।

ଅପରାହ୍ନରେ ପେନସନ୍‌ପଡାର ଅଲତାଫ, ଅଫତାବ ଓ ରୁକସାନା ମହାନଦୀର ଦଲେଇପଡା ଘାଟକୁ ଗାଧୋଇବାକୁ ଯାଇଥିଲେ। ପ୍ରଥମେ ରୁକସାନା ମହାନଦୀରେ ପଶିବା ସମୟରେ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲେ। ଝିଅକୁ ଉଦ୍ଧାର କରିବା ପାଇଁ ବାପା ଅଲତାଫ ପାଣିକୁ ଡେଇଁଥିଲେ। ପରେ ପୁଅ ଅଫତାବ ମଧ୍ୟ ପାଣିକୁ ଡେଇଁ ପଡିଥିଲେ। ପାଖରେ ଗାଧୋଉଥିବା ମହିଳାମାନେ ୩ ଜଣ ପାଣିରେ ଭାସିଗଲେ କହି ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ। ମାଛ ମାରିବା ଜାଲ ପକାଇବା ସହ ପାଣିରେ ବୁଡି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପ୍ରାୟ ଦେଢଘଣ୍ଟା ପରେ ପୁଅ ଅଫତାବ ଓ ପରେ ବାପା ଅଲତାଫଙ୍କୁ ଉଦ୍ଧାର କରାଯାଇ ଜିଲା ସଦର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଘାଟ ଉପରେ ଆନିକଟ ରହିଛି। ତେଣୁ ଏଠାରେ ପାଣିର ସ୍ରୋତ ଅଧିକ ରହିଥାଏ। ଅଧିକାଂଶ ସମୟରେ ଏହି ପରିବାର ସଦସ୍ୟମାନେ ଗାଧୋଇବାକୁ ଆସନ୍ତି। ଆଜି ଆସିଥିବା ବେଳେ ଏତେ ବଡ ଅଘଟଣ ଘଟିଗଲା। ସଙ୍ଗେ ସଙ୍ଗେ ଉଦ୍ଧାର କରିବା ଆରମ୍ଭ କରିଥିଲୁ, ହେଲେ ଜୀବନ ବଞ୍ଚାଇପାରିଲୁ ନାହିଁ ବୋଲି କହିଥିଲେ। ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି କହିଛନ୍ତି, ପରିବାରର ୨ଜଣଙ୍କୁ ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଝିଅ ରୁକସାନା ନିଖୋଜ ଅଛନ୍ତି ବୋଲି କହିଥିଲେ।