ଗଜା ହେଉନି ଅଦା ବିହନ

ନୂଆପଡା ଅଫିସ,୨୯ା୬:  ନୂଆପଡା ଜିଲାର ଜଳବାୟୁକୁ ଦୃଷ୍ଟିରେ ରଖି ଅଦା ଭଳି ଅର୍ଥକରୀ ଫସଲକୁ ପ୍ରୋତ୍ସାହିତ କରିବାକୁ ଜିଲା କୃଷି ବିଭାଗ ଅଣ୍ଟା ଭିଡିଛି। ତେବେ ଚାଷୀଙ୍କୁ ଯୋଗାଣ ହୋଇଥିବା ଅଦା ବିହନରୁ ୨୦ପ୍ରତିଶତ ଗଜା ହୋଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏହାକୁ ଗୁରୁତ୍ୱର ସହ ବିଚାର କରି କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଘର ଘର ବୁଲି ଅଦାଚାଷର ବର୍ତ୍ତମାନ ସ୍ଥିତି ନିରୀକ୍ଷଣ କରିଛନ୍ତି ।
ପ୍ରକାଶ ଯେ, ନୂଆପଡା ଜିଲାପାଳ ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ ପ୍ରଥମଥର ଅଦା ଚାଷ ପାଇଁ ପଦକ୍ଷେପ ନିଆଯାଇଛି। ଜିଲା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଭାବେ ଏହାର କାର୍ଯ୍ୟାନ୍ବୟନ କରୁଛନ୍ତି । ଏହି କ୍ରମରେ ଆତ୍ମା ତରଫରୁ ଭେରା, ସାଲିହା, କୋଦୋମେରୀ, ଜେଞ୍ଜେରା, କୋଟେନଚୁଆଁର ୪୫ଜଣ ଚାଷୀଙ୍କୁ ୫୦ କିଗ୍ରା ଲେଖାଏଁ ଅଦା ବିହନ ଦିଆଯାଇଥିଲା। ସେହିପରି ଏମ୍‌ଏଏଫ୍‌ସିସି ତରଫରୁ ପଲସାଭଦର ଗାଁର ୨୨ଜଣ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଏହି ସୁଭଦ୍ରା ନାମକ ଅଦା ବିହନ କୋରାପୁଟରୁ ଅଣାଯାଇଥିଲା। ପ୍ରଥମେ ତାଲିମ ପ୍ରଦାନ କରାଯିବା ପରେ ଚାଷୀମାନେ ବାଲି କିଆରି ପ୍ରସ୍ତୁତ କରି ଗଜା ପାଇଁ ଅଦା ପୋତିଥିଲେ। ହେଲେ ଆଜିକୁ ୨୦/୨୨ଦିନ ବିତିଯାଇଥିଲେ ମଧ୍ୟ ୨୦ରୁ ୩୦ପ୍ରତିଶତ ବିହନ ଗଜା ହୋଇ ନ ଥିବା ଦେଖାଯାଇଛି। ଏହାକୁ ନେଇ ଚାଷୀମାନେ ଅଭିଯୋଗ କରିଥିବାବେଳେ ରବିବାର ଜିଲା କୃଷକ ସଂଘ ସଭାପତି ଘାସିରାମ ମାଝୀ ଭେରା ଗାଁକୁ ଯାଇ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଗୁରୁତ୍ୱ ଦେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଜାଭେଦ ମହମ୍ମଦ, ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର, ନରେନ୍ଦ୍ର ମିଶ୍ର, କୃଷି ବିଜ୍ଞାନୀ ଲଖନଲାଲ ମୀନା ପ୍ରମୁଖ ଗାଁକୁ ଯାଇ ଚାଷୀଙ୍କ ଘର ଘର ବୁଲି ଅଦା କିଆରି ଦେଖିଥିଲେ । ବର୍ତ୍ତମାନ ପ୍ରକ୍ରିୟା ଚାଲିଛି । ଆଗକୁ ଆଉ ୮/୧୦ଦିନ ପରେ ସବୁ ଜଣାପଡିବ । କେତେକ ଚାଷୀ ଠିକ୍‌ ପ୍ରକ୍ରିୟାରେ କରି ନ ଥିବାରୁ ଗଜା ହୋଇ ନ ଥିବା ଦେଖାଯାଇଥିଲା । ଗଜା ନ ହେଲେ ଆହୁରି ବିହନ ଦେବା ବ୍ୟବସ୍ଥା କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଚାଷୀଙ୍କୁ ଠିକ ଭାବେ ତାଲିମ ପ୍ରଦାନ ପୂର୍ବକ ଉନ୍ନତମାନର ବିହନ ଯୋଗାଇବାକୁ ଜିଲା କୃଷକ ସଂଘ ସଭାପତି ମାଝୀ ଦାବି କରିଛନ୍ତି ।