୩ ଦିନ ପାଇଁ ବନ୍ଦ ହେଲା ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର,୮ା୪: ରାୟଗଡ଼ା ଜିଲା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣପୁର ଉପଜିଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶ କ୍ରମେ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଛନ୍ତି। ଏହା ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉପଖଣ୍ଡ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି। ସୂଚନା ଯୋଗ୍ୟ, ପ୍ରଥମେ ୪ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ କଣ୍ଟାକ୍ଟଟ୍ରେସିଂ ସହ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ଜଣେ ଅଧ୍ୟାପକ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜଣାପଡ଼ିଛି।