ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ଗୁରୁବାର ଅପରାହ୍ନ ସୁଦ୍ଧା ନିଖୋଜ ୧୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୬ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ନ ଥିବା ବେଳେ ଶୁକ୍ରବାର ପୁନର୍ବାର ଉଦ୍ଧାର ଅଭିଯାନ ଜାରି ରହିବ। ନିଖୋଜ ସମସ୍ତ ବ୍ୟକ୍ତିଙ୍କ ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ ଏହି ଉଦ୍ଧାର କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।
ସେହିପରି ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଏବଂ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କିଲାପଙ୍କା ବାତ୍ୟା ଆଶ୍ରୟସ୍ଥଳୀ ଓ ମେଡିକାଲରେ ପହଞ୍ଚି ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଥିଲେ। ସେଠାରେ ପ୍ରଶାସନିକ ଅଧିକାରୀମାନେ ମୃତକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ରେଡ୍କ୍ରସ୍ ପାଣ୍ଠିରୁ ପ୍ରତି ପ୍ରଭାବିତ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ନଗଦ ସହାୟତା ରାଶି ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ପ୍ରଳୟଙ୍କରୀ ବନ୍ୟା ଆସିବା ପୂର୍ବରୁ ଗିଡ଼ିପାବାଲି ଗ୍ରାମର ୯ଟି ପରିବାରର ୨୫ ଜଣଙ୍କ ମଧ୍ୟରୁ ୧୨ ଜଣ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ମାତ୍ର ଅନ୍ୟ ୧୩ ଜଣ ଗ୍ରାମରେ ରହିଯାଇଥିଲେ। ସେମାନଙ୍କୁ ସମୟ ସୁବିଧାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନପାରିବାରୁ ଭୂସ୍ଖଳନରେ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାରେ ଦୁଇଟି ପରିବାରର ସମସ୍ତ ସଦସ୍ୟ ଆଖି ବୁଜିଛନ୍ତି। ଏହାବ୍ୟତୀତ ଗିଡ଼ିପାବାଲି ନିକଟବର୍ତ୍ତୀ କନ୍ଧମାଳ ଜିଲାର ଡାଙ୍ଗେସି ଗ୍ରାମର ମଧ୍ୟ ୩ ଜଣ ଏହି ଭୂସ୍ଖଳନର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ଅନ୍ୟପକ୍ଷରେ, ଗିଡିପାବାଲି ଏବଂ ଡାଙ୍ଗେଶି ଗ୍ରାମର କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।