କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌ ଦାବି

ଭୁବନେଶ୍ୱର,୨ା୮(ବ୍ୟୁରୋ): କେନ୍ଦ୍ରାପଡ଼ା ରସାବଳିକୁ ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବାକୁ ବିଜେଡି ପକ୍ଷରୁ ଦାବି ଉଠାଯାଇଛି। ବିଜେଡିର ୩ ରାଜ୍ୟ ସଭା ସଦସ୍ୟ ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟରେ ଦାବି ରଖିଛନ୍ତି। ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ନେତୃତ୍ୱରେ ମୁନ୍ନା ଖାଁ ଏବଂ ମମତା ମହନ୍ତ ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଇତିହାସ ଅନୁଯାୟୀ ଗଙ୍ଗ ରାଜତ୍ୱ ସମୟରୁ ଅର୍ଥାତ୍‌ ୪ଶହ ବର୍ଷ ପୂର୍ବରୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରସାବଳି ବଳଦେବ ଜୀଉଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା। ସୁସ୍ବାଦୁ ମିଷ୍ଟାନ୍ନ ରସାବଳିକୁ କେନ୍ଦ୍ରାପଡ଼ାବାସୀ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଏପରି କି ଏହି ରସାବଳିର ସ୍ବାଦ ଦେଶ, ବିଦେଶକୁ ବ୍ୟାପିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଜିଆଇ ଟ୍ୟାଗ୍‌ ମିଳିପାରି ନାହିଁ। ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳି ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି। କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା ମିଳିପାରିଲେ ଏହା ଅନ୍ତର୍ଜାତୀୟସ୍ତରରେ ସ୍ବୀକୃତି ପାଇପାରିବା ସହ ଦେଶ ଓ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ। ଅନ୍ୟପଟେ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ମଧ୍ୟ କେନ୍ଦ୍ରାପଡ଼ା ପ୍ରତି ଆକର୍ଷିତ ହେବେ। ଏଥିସହିତ ବିଶ୍ୱର ସବୁଠାରୁ ଆକର୍ଷିତ ସ୍ଥାନ ଭିତରକନିକା ଜୈବ ବିବିଧତା, ୧୮୦ ବର୍ଷ ପୁରୁଣା ବ୍ରିଟିଶ ସମୟର ହୁକିଟୋଲା ବତିଘର ଓ ବଙ୍ଗୋପସାଗର ବିସ୍ତୀର୍ଣ୍ଣ ଜଳରାଶି ଆଦି ପର୍ଯ୍ୟଟକଙ୍କୁ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରକୁ ଆକର୍ଷଣ କରିବାରେ ଏକ ବଡ଼ ଭୂମିକା ନେବାରେ ସହାୟକ ହେବ।