ଘାଗରା ନଦୀ ବଡ଼ ପୋଲ ଅଧାପନ୍ତରିଆ

ନୀଳଗିରି,୨୧ା୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ସେରଗଡ଼, ନୀଳଗିରି, ଝରଣଘାଟି ୧୯ନଂ. ରାଜ୍ୟ ରାଜପଥର ଘାଗରା ନଦୀ ଉପରେ ନିର୍ମାଣାଧୀନ ବଡ଼ ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଶିଳାନ୍ୟାସକୁ ୪ ବର୍ଷ ବିତିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ହୋଇପାରୁନି। ଏଠାରେ ଥିବା ପୁୁରୁଣା ପୋଲଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଜରୁରୀ ହୋଇପଡ଼ିଛି।
ବାଲେଶ୍ୱର ଜିଲାରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏପରିକି ଦୈନନ୍ଦିନ ହଜାର ହଜାର ଯାନବାହନ ସମେତ ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ପଥଚାରୀମାନେ ଉକ୍ତ ରାସ୍ତାରେ ଯାଇଥାନ୍ତି। ବର୍ଷା ଋତୁରେ ପୁରୁଣା ପୋଲ ଉପରେ ପାଣି ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ବାରିକେଡ୍‌ ଖସିପଡ଼ିଲାଣି। ପୁରୁଣା ପୋଲର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ବିପଜ୍ଜନକ ଭାବେ ଲୋକେ ଯାତାୟାତ କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଘାଗରା ନଦୀ ଉପରେ ବଡ଼ ପୋଲ ନିର୍ମାଣ ପାଇଁ ଗତ ୨୦୧୯ରେ ୩ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ପୋଲର ଶିଳାନ୍ୟାସ କରିଥିଲେ।  ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଲକ୍ଷ୍ମଣ ସିଂଙ୍କୁ ପଚାରିବାରୁ ଘାଗରା ପୋଲକୁ ସଂଯୋଗ କରୁଥିବା ରାସ୍ତାରେ କିଛି ଘରୋଇ ଜମିର ଅଧିଗ୍ରହଣ ସମାଧାନ ହୋଇଥିବା ବେଳେ ଉକ୍ତ ରାସ୍ତା ମଝିରେ କେତୋଟି ବଡ଼ ବଡ଼ ଗଛ ରହିଛି। ବନବିଭାଗ ଉକ୍ତ ଗଛଗୁଡ଼ିକ ଇଏସ୍‌ଜେଡ୍‌ ଜୋନ୍‌ରେ ଯାଉଛି ବୋଲି କହି କାଟିବାକୁ ଅନୁମତି ଦେଉ ନ ଥିବାରୁ ପୋଲ କାମ ସରିବାରେ ବିଳମ୍ବ ହେଉଛି ବୋଲି କହିଛନ୍ତି।