ପ୍ୟାରିସ୍‌ରେ ପିଢ଼ିଗତ ପ୍ରତିବାଦ

ପ୍ୟାରିସ୍‌ ରାସ୍ତାରେ କିଛି ସପ୍ତାହ ଧରି ଉତ୍ତେଜନା ବୃଦ୍ଧି ପାଇଚାଲିଛି। ଗତ ଶନିବାର ବିକ୍ଷୋଭ ସମୟରେ ମୁଁ ଓ ମୋ ସ୍ତ୍ରୀ ଆମର ୬ବର୍ଷର ଝିଅକୁ ଧରି ସହର ବାହାରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଅପରାହ୍ନ ୨ଟାରେ ଯେତେବେଳେ ‘ପ୍ଲେସ ଡି ଲା ରେପବ୍ଲିକ୍‌’ ଠାରେ ବଡ଼ ଗଣବିକ୍ଷୋଭ ଆରମ୍ଭ ହେଲା, ସେତେବେଳେ ଆମେ ପ୍ୟାରିସ୍‌ର ଦକ୍ଷିଣ-ପୂର୍ବରେ ଥିବା ‘ଫଣ୍ଟେନବ୍ଲୋ’ ନିକଟବର୍ତ୍ତୀ ଜଙ୍ଗଲରେ ପଦଯାତ୍ରା କରୁଥିଲୁ। ଏକଦା ଏହି ସ୍ଥାନ ଫ୍ରାନ୍ସ ରାଜାମାନଙ୍କର ଶରତକାଳୀନ ଅବସର ବିନୋଦନ ସ୍ଥଳ ତଥା ଶିକାର କ୍ଷେତ୍ର ଥିଲା। ଟ୍ରେନ୍‌ରେ ଫେରି ମେଟ୍ରୋ ଷ୍ଟେଶନ ଆଡ଼କୁ ଯିବା ବେଳେ ଆମେ ଲୁହବୁହା ଗ୍ୟାସ୍‌ର ଗନ୍ଧ ବାରିପାରିଥିଲୁ। ଆମ ଆପାର୍ଟମେଣ୍ଟ ନିକଟରେ ଥିବା ମେଟ୍ରୋ ଷ୍ଟେଶନଟି ବନ୍ଦ ଥିଲା। ତେଣୁ ଆମେ ଏକ ନିକଟବର୍ତ୍ତୀ ଷ୍ଟେଶନରେ ଓହ୍ଲାଇଲୁ। ସେଠାରେ ଆମେ ଦେଖିଲୁ ଯେ ବାହାରକୁ ଯିବା ଶିଡ଼ି ତଳେ କେତେଜଣ କିଶୋର କୋଭିଡ୍‌-୧୯ ସମୟର ଫେସ୍‌ ମାସ୍କ ବାଣ୍ଟୁଛନ୍ତି। ଆମ ପାଇଁ ଗୋଟିଏ ଲେଖାଏ ମାସ୍କ ନେଲୁ। ଏହି ସମୟରେ ଲୁହବୁହା ଗ୍ୟାସ୍‌ର ଏକ ବାଦଲ ଆମ ଆଡ଼କୁ ମାଡ଼ିଆସିଲା ଓ ଆଖି ପୋଡ଼ିବାରେ ଲାଗିଲା। ଫଳରେ ଆମେ ଟ୍ରେନ୍‌ ଆଡ଼କୁ ଫେରିବାକୁ ଥିବା ଶିଡ଼ି ତଳକୁ ଦୌଡ଼ିବାକୁ ବାଧ୍ୟ ହେଲୁ।
ଏହି ପ୍ରତିବାଦରୁ ରକ୍ଷା ପାଇବାର କୌଣସି ଉପାୟ ନ ଥିଲା। ସେପ୍ଟେମ୍ବର ଶେଷ ଭାଗରେ ଫ୍ରାନ୍ସର ଉଚ୍ଚ ବିଦ୍ୟାଳୟଗୁଡ଼ିକରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ସାରା ବିଶ୍ୱର ଅନ୍ୟ ଯୁବକଙ୍କ ଭଳି ଏଠାକାର ଯୁବପିଢ଼ି ମଧ୍ୟ ଭବିଷ୍ୟତକୁ ନେଇ ଆଶାହୀନ ହୋଇପଡ଼ିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଏବଂ ଆର୍ଥିକ ଚାପ ଯୋଗୁ ସେମାନଙ୍କ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଖରାପ ହେବାରେ ଲାଗିଛି। ଏଥିରେ ଅତିଷ୍ଠ ହୋଇ କେତେଜଣ ଶିକ୍ଷକ ବିଦ୍ୟାଳୟକୁ ଆସୁନାହାନ୍ତି ଏବଂ ସେମାନଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉନାହିଁ। ଏହା ସହିତ ୧୯୦୦ରୁ ରେକର୍ଡ କରାଯାଉଥିବା ତାପମାତ୍ରାକୁ ଦେଖିଲେ ଚଳିତ ବର୍ଷର ଗ୍ରୀଷ୍ମଋତୁ ଫ୍ରାନ୍ସରେ ସବୁଠାରୁ ଉତ୍ତପ୍ତ ଥିଲା। ଯୁବପିଢ଼ି ଜାଣନ୍ତି ଯେ ଆଗକୁ ଏହାଠାରୁ ଅଧିକ ଖରାପ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି। ସେମାନେ ଏହା ମଧ୍ୟ ଲକ୍ଷ୍ୟକରୁଛନ୍ତି ଯେ, ଦାୟିତ୍ୱରେ ଥିବା ବୟସ୍କମାନେ ଏଥିପାଇଁ ବିଶେଷ କିଛି କରୁନାହାନ୍ତି। ଛାତ୍ର ଆନ୍ଦୋଳନ ଆରମ୍ଭ ହେବାର କିଛି ଦିନ ପରେ, ଭଲ ଉଦ୍ଦେଶ୍ୟରେ ଏବଂ ଖରାପ ଉଦ୍ଦେଶ୍ୟରେ ବିଭିନ୍ନ ରାଜନୈତିକ ଗୋଷ୍ଠୀ ଆନ୍ଦୋଳନରେ ଜଡ଼ିତ ହେବାକୁ ଚେଷ୍ଟା କଲେ। କିନ୍ତୁ ଏହି ରାଜନୈତିକ ପ୍ରତିଯୋଗିତା ସତ୍ତ୍ୱେ ଛାତ୍ରମାନେ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି।
ଫ୍ରାନ୍ସର ରାଜପଥରେ ଆନ୍ଦୋଳନ କରିବା ଏକ ଜାତୀୟ ପରମ୍ପରା ଭଳି ମନେହୁଏ। ୨୦୨୩ରେ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଆଇନଗତ ଭାବେ ଅବସର ବୟସକୁ ୬୨ରୁ ୬୪କୁ ବୃଦ୍ଧି କରିବା ପାଇଁ ଏକ ଯୋଜନା ଘୋଷଣା କଲାବେଳେ ବଡ଼ଧରଣର ବିକ୍ଷୋଭ ହୋଇଥିଲା। ଶେଷରେ ଏହି ସଂସ୍କାର ଆଇନରେ ପରିଣତ ହେଲା ଏବଂ ଆନ୍ଦୋଳନ ଥମିଯାଇଥିଲା। ତେବେ ଅବସର ବୟସ ସମ୍ବନ୍ଧୀୟ ମୁଖ୍ୟ ନିୟମଗୁଡ଼ିକୁ ୨୦୨୮ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ହେଲେ ଏଥର ଆନ୍ଦୋଳନର ଅନ୍ତ ଏପରି ହେବ ବୋଲି କୌଣସି ସଙ୍କେତ ଦେଖାଯାଉନାହିଁ। ଫ୍ରାନ୍ସ ସରକାର ଏକ ବିଲ୍‌କୁ ବିଚାର ପ୍ରକ୍ରିୟାରୁ ପ୍ରତ୍ୟାହାର କରିପାରିବେ କିମ୍ବା ତାହାକୁ ସଂଶୋଧନ କରି ପାରିତ କରାଇବାକୁ ଚେଷ୍ଟା କରିପାରନ୍ତି। ହେଲେ ଏବର ସରକାର ଯୁବପିଢ଼ି ଚାହୁଁଥିବା ଏବଂ ପାଇବାକୁ ଯୋଗ୍ୟ ଥିବା ଭବିଷ୍ୟତକୁ ଆଇନଗତ ଭାବେ ଗଢ଼ିବାରେ ଅସମର୍ଥ ବୋଲି ମନେହେଉଛି।
୨୦୨୭ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଜନମତ ସର୍ଭେରେ ଦକ୍ଷିଣପନ୍ଥୀ ଶକ୍ତି ବୃଦ୍ଧି ପାଉଛି। କେତେଜଣ ବ୍ୟକ୍ତି ଭବିଷ୍ୟବାଣୀ କରୁଛନ୍ତି ଯେ ଏହି ବିକ୍ଷୋଭ ରାଷ୍ଟ୍ରବାଦୀ ବାମପନ୍ଥୀ ଶକ୍ତିଗୁଡ଼ିକୁ ଲାଭ ଦେବ। ଯାହା ବି ହେଉ, ମଧ୍ୟମପନ୍ଥୀ ସ୍ଥିତି ବଜାୟ ରଖିପାରୁ ନାହିଁ ଏବଂ ଏହା ରହିବା ଉଚିତ ବୋଲି ଭାବୁଥିବା କିମ୍ବା ଏପରି ଆଶା କରୁଥିବା କୌଣସି ବ୍ୟକ୍ତିଙ୍କୁ ଖୋଜି ପାଇବା ମୋ ପାଇଁ କଷ୍ଟକର ହୋଇପଡ଼ିଛି। ତେବେ ଏହା ଫ୍ରାନ୍ସକୁ କେଉଁ ଦିଗକୁ ନେଇଯିବ? ସାମ୍ପ୍ରତିକ ସ୍ଥିତିରେ ଛାତ୍ରଙ୍କ ଦାବିଗୁଡ଼ିକ ପ୍ରାୟତଃ ଅସ୍ପଷ୍ଟ ରହିଛି। ଅନେକ ବୟସ୍କ ବିକ୍ଷୋଭକାରୀ ବଢୁଥିବା ଜୀବନଧାରଣ ଖର୍ଚ୍ଚକୁ ନେଇ ଚିନ୍ତିତ ।
ଅନ୍ୟ ଦେଶଗୁଡ଼ିକରେ ଶୁଣିବାକୁ ମିଳୁଥିବା ‘ବ୍ୟୟସାଧ୍ୟତା’ ବା ଲୋକଙ୍କ ଆର୍ଥିକ ସାମର୍ଥ୍ୟ ମଧ୍ୟରେ ଜୀବନଯାପନ କରିବାର ପ୍ରସଙ୍ଗକୁ ସେମାନେ ମଧ୍ୟ ଉଠାଇଥିଲେ। ମୋର ସନ୍ଦେହ ହେଉଛି ଯେ, ଆନ୍ଦୋଳନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ପିଢ଼ିଗତ। ଯଦି କୌଣସି ଦେଶର ଯୁବପିଢ଼ି ନିଜ ପାଇଁ କୌଣସି ଭବିଷ୍ୟତ ଦେଖିପାରିବେ ନାହିଁ, ତେବେ ସେହି ଦେଶର ଉତ୍ତମ ଭବିଷ୍ୟତ କଦାପି ଆସିପାରିବ ନାହିଁ।
ସମ୍ଭବତଃ କୌଣସି ଦିନ ଏହି ପ୍ରତିବାଦ ବୟସ୍କ ପିଢ଼ିର ଦାବି ଏବଂ ଯୁବପିଢ଼ିର ସମ୍ଭାବନା ମଧ୍ୟରେ ଏକ ମୁହଁାମୁହିଁ ପରିସ୍ଥିତି ଆଡ଼କୁ ଅଗ୍ରସର ହେବାର ଏକ ପଦକ୍ଷେପ ହୋଇପାରେ। ରାଜନୀତି ଦୀର୍ଘଦିନ ଧରି ଶ୍ରେଣୀ, ଜାତୀୟତା, ଧର୍ମ କିମ୍ବା ପରିଚୟ ଆଧାରରେ ସଂଗଠିତ ହୋଇଆସିଛି। ତେବେ ବୟସ କ’ଣ ରାଜନୀତିର ଏକ ବିଭାଜନରେଖା ପାଲଟିପାରେ? ଯଦି ଏପରି ହୁଏ, ତେବେ ବିଭିନ୍ନ ପିଢ଼ି ମଧ୍ୟରେ କ୍ଷମତା ଏବଂ ସୁଯୋଗ ବଣ୍ଟନ ବିଷୟରେ ଆମକୁ ଆହୁରି ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡ଼ିବ। ଯୁବପିଢ଼ିର ରାଜନୈତିକ ସକ୍ରିୟତା କୌଣସି ନୂଆ କଥା ନୁହେଁ। ୧୯୬୮ ମସିହାର ପ୍ୟାରିସ୍‌ ଆନ୍ଦୋଳନର ଜୀବିତ ବରିଷ୍ଠମାନେ ଏବେ ପେନ୍‌ସନଭୋଗୀ। ସମ୍ପ୍ରତି ଫ୍ରାନ୍ସର ଶିକ୍ଷା ମନ୍ତ୍ରଣାଳୟ ବଜେଟ୍‌ର ପ୍ରାୟ ଏକ-ତୃତୀୟାଂଶ କେବଳ ପେନ୍‌ସନ ସମ୍ବନ୍ଧୀୟ ବ୍ୟୟ ପାଇଁ ଉଦ୍ଦିଷ୍ଟ। ଏହି ପରିସଂଖ୍ୟାନ ଅନେକ କିଛି ପ୍ରକାଶ କରେ। ସରକାରୀ ଋଣ ବଢ଼ିବା ସହିତ ସରକାରଙ୍କ ଋଣଗ୍ରହଣକୁ ନେଇ ଚିନ୍ତା ବଢ଼ୁଛି। ଫ୍ରାନ୍ସ ଏବେ କଲ୍ୟାଣକାରୀ ରାଷ୍ଟ୍ରର ଖର୍ଚ୍ଚ ବହନ କରିପାରିବ କି ନାହିଁ ସେ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଏହା କେଉଁ ପ୍ରକାର କଲ୍ୟାଣକାରୀ ରାଷ୍ଟ୍ର ଚାହୁଁଛି ଏବଂ ଏହାର ପ୍ରାଥମିକତା କ’ଣ ହେବା ଉଚିତ। ସରକାର କିଭଳି ବୃଦ୍ଧାବସ୍ଥାରେ ଲୋକଙ୍କୁ ସୁରକ୍ଷା ଦେବେ? ଏହା ସହିତ ଯୁବପିଢ଼ିକୁ ଏକ ଭଲ ଭବିଷ୍ୟତ ପାଇଁ କିପରି ସୁଯୋଗ ଦେଇପାରିବେ? ଏହି ପ୍ରଶ୍ନଗୁଡ଼ିକ କେବଳ ପେନ୍‌ସନ ଅଧିକାର ଓ ଶିକ୍ଷା ଖର୍ଚ୍ଚ ମଧ୍ୟରେ ଥିବା ‘ଜଣେ ପାଇଲେ ଅନ୍ୟ ଜଣେ ହରାଇବ’ ପ୍ରକାରର ଦ୍ୱନ୍ଦ୍ୱ ମଧ୍ୟରେ ସୀମିତ ନୁହେଁ। ଏଠାରେ ଶିକ୍ଷାର ଗୁଣବତ୍ତା ବିପଦରେ ରହିଛି। ଏହା ସହିତ ବିଶ୍ୱ ତାପନ(ଗ୍ଲୋବାଲ ୱାର୍ମିଂ) ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ଉତ୍ଥାନକୁ କିପରି ସାମ୍ନା କରିବୁ, ସେହି ପ୍ରଶ୍ନ ବି ଉଠୁଛି।
ବୟସ୍କ ପିଢ଼ିର ଲୋକମାନେ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶକ୍ତିଶାଳୀ। ସେମାନେ ବହୁ ସଂଖ୍ୟାରେ ଭୋଟ ଦିଅନ୍ତି ।
ଫ୍ରାନ୍ସ ଜନସଂଖ୍ୟାରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ସେମାନଙ୍କର ନିର୍ବାଚନୀ ପ୍ରଭାବ ଅଧିକ ବଢ଼ିଚାଲିଛି। ଅନ୍ୟପକ୍ଷରେ, ଅଧିକାଂଶ ହାଇସ୍କୁଲ ଛାତ୍ରୀଛାତ୍ରଙ୍କର ଭୋଟ ଦେବା ବୟସ ହୋଇନାହିଁ। ବୟସ୍କ ପିଢ଼ିର ଲୋକମାନେ ମଧ୍ୟ ଅନେକ ପ୍ରମୁଖ ପଦପଦବୀରେ ଅଛନ୍ତି, ଯାହା ମାଧ୍ୟମରେ ଔପଚାରିକ କ୍ଷମତା ପ୍ରୟୋଗ କରାଯାଏ। ଏପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ନିଜେ ସେମାନଙ୍କ ଦାବିଗୁଡ଼ିକୁ ସିଧାସଳଖ ଭାବରେ ବୟସ୍କ ପିଢ଼ି ବିରୋଧରେ ଉପସ୍ଥାପନ କରିନାହାନ୍ତି। କିନ୍ତୁ ଯଦି ଏହି ବିକ୍ଷୋଭ ଏକ ନୂତନ ରାଜନୀତିର ଆରମ୍ଭକୁ ସୂଚାଉଛି। ଏଥିରେ ଯୁବପିଢ଼ି ସେମାନଙ୍କର ଏବଂ ପୃଥିବୀର ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ସ୍ଥିତି ଉପରେ ଅଧିକ ଅଧିକାର ଦାବି କରୁଛନ୍ତି। ଏ ଦୃଷ୍ଟିରୁ ଏହି ଆନ୍ଦେଳନର ସ୍ଥାୟୀ ମହତ୍ତ୍ୱ ରହିପାରେ।
ଘରକୁ ଫେରିବା ବାଟରେ, ମୁଁ ସେଣ୍ଟ-ମାର୍ଟିନ୍‌ କେନାଲ ଉପରେ ଥିବା ଫୁଟ୍‌ବ୍ରିଜଗୁଡ଼ିକରେ ମୁହଁରେ ମାସ୍କ ପିନ୍ଧିଥିବା କିଶୋରମାନଙ୍କ ଦଳ ବସିଥିବାର ଦେଖିଲି। ସେମାନେ ଡଷ୍ଟବିନ୍‌ଗୁଡ଼ିକ ଜଳୁଥିବା ଦେଖୁଥିଲେ। ୧୮୪୮ ‘ଜୁନ୍‌ ଡେଜ୍‌’ ରକ୍ତାକ୍ତ ବିପ୍ଳବର ମଧ୍ୟ ଏହି କେନାଲର ବ୍ରିଜ୍‌ଗୁଡ଼ିକ ସାକ୍ଷୀ ଥିଲା। ସେହି ବିପ୍ଳବରେ ପ୍ୟାରିସ୍‌ର ଶ୍ରମିକମାନେ ନ୍ୟାଶନାଲ ଗାର୍ଡ ଏବଂ ଅନ୍ୟ ସରକାରୀ ବାହିନୀର ସାମ୍ନା କରିଥିଲେ। ସେହି ଯୁଗର ରାଜନୈତିକ ବିଭାଜନ ଭିନ୍ନ ଥିଲା। ଆମ ସମୟର ବିଭାଜନ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି।

ଜୋନାଥନ ଲେଭି
-ଇତିହାସ ବିଭାଗର ପ୍ରାଧ୍ୟାପକ, ସାଇନସେସ୍‌ ପୋ (ପ୍ୟାରିସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପଲିଟିକାଲ ଷ୍ଟଡିଜ୍‌)

 

Dharitri – Odisha’s No.1 Odia Daily