ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ ପ୍ରଶାନ୍ତଙ୍କୁ ୬୪,୧୫୧ ଭୋଟ୍‌ ମିଳିଥିବା ବେଳେ ବିଜେପିର ନୀରଜ କୁମାର ୪୪,୮୨୭ ଭୋଟ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପିକେ ଏହି ଆସନରେ ବିଜୟୀ ହୋଇଛନ୍ତି, ମାତ୍ର ବାଙ୍କୀପୁରର ନିର୍ବାଚନ କେବଳ ଗୋଟିଏ ଆସନର ଲଢ଼େଇ ନଥିଲା। ଏହି ଫଳାଫଳରୁ ବୁଝିବା ଯେ ପ୍ରଶାନ୍ତଙ୍କ ବିଜୟ ପଛରେ ‘ଜେନ୍-ଜି’ (Gen-Z) ଫ୍ୟାକ୍ଟର କ’ଣ ଥିଲା। ଏହାସହ ଜାଣିବା ଯେ ବିହାରର ଯୁବ ଓ ଜେନ୍-ଜି ଭୋଟର କେଉଁ ଆଡ଼କୁ ଯାଉଛନ୍ତି…

ବାଙ୍କୀପୁର ହେଉଛି ପାଟନାର ସହରାଞ୍ଚଳ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଥିବା ଅଞ୍ଚଳ। ଏଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀ ରହୁଛନ୍ତି। ବାଙ୍କୀପୁର ବିଧାନସଭାରେ ପ୍ରାୟ ୩.୭୯ ଲକ୍ଷ ଭୋଟର ଅଛନ୍ତି। ସେଥିମଧ୍ୟରୁ ପ୍ରାୟ ୧.୨ ରୁ ୧.୩୫ ଲକ୍ଷ ଭୋଟର ୧୮ ରୁ ୨୯ ବର୍ଷ ବୟସର, ଅର୍ଥାତ୍‌ ପ୍ରାୟ ଏକ-ତୃତୀୟାଂଶ ଭୋଟର ଯୁବବର୍ଗ। ଏହି କାରଣରୁ ଏହି ଆସନରେ ‘ଜେନ୍-ଜି’ ଭୋଟ୍ ସବୁଠାରୁ ବଡ଼ ନିର୍ବାଚନୀ ଫ୍ୟାକ୍ଟର ଭାବେ ଉଭା ହୋଇଥିଲା। ପାଟନାରେ ମଧ୍ୟ ୧୮ ରୁ ୨୯ ବର୍ଷର ଭୋଟରଙ୍କ ହାରାହାରି ଭାଗ ପ୍ରାୟ ୨୩%। କିନ୍ତୁ ବାଙ୍କୀପୁରରେ ଏହି ସଂଖ୍ୟା ଅଧିକ, କାରଣ ଏଠାରେ ଅନେକ ବଡ଼ ଶିକ୍ଷାନୁଷ୍ଠାନ ଓ କୋଚିଂ ହବ୍ ରହିଛି।

ବାଙ୍କୀପୁରରେ ଏଥର ନିର୍ବାଚନ କେବଳ ବିକାଶ ଓ ଦଳୀୟ ସୀମା ଭିତରେ ସୀମିତ ନଥିଲା। ଦେଶସାରା ହୋଇଥିବା ଛାତ୍ର ଆନ୍ଦୋଳନ, ପରୀକ୍ଷା ଅନିୟମିତତା, ପେପର ଲିକ୍ ଏବଂ ନିଯୁକ୍ତି ମୁଦ୍ଦା ନିର୍ବାଚନୀ ଚର୍ଚ୍ଚାକୁ ବଦଳାଇ ଦେଇଥିଲା। ନିଟ୍ (NEET) ପେପର ଲିକ୍ ବିବାଦ ପରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୀବ୍ର ହୋଇଥିଲା। ଦିଲ୍ଲୀର ଜନ୍ତର-ମନ୍ତର ସମେତ ପାଟନାରେ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ପୋଲିସ ଲାଠି ମାଡ଼ ଖାଇଥିବା ଛାତ୍ରମାନେ ପ୍ରଶାନ୍ତଙ୍କୁ ସାକ୍ଷାତ ମଧ୍ୟ କରିଥିଲେ।

ଏହି ଆନ୍ଦୋଳନଗୁଡ଼ିକ ଯୁବକମାନଙ୍କ ସହ ଜଡ଼ିତ ମୁଦ୍ଦାକୁ ନିର୍ବାଚନର କେନ୍ଦ୍ରବିନ୍ଦୁକୁ ଆଣିଦେଲା। ପ୍ରଶାନ୍ତ କିଶୋର ନିରନ୍ତର ବେକାରୀ, ଶିକ୍ଷା ବ୍ୟବସ୍ଥା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସ୍ୱଚ୍ଛତା ଭଳି ମୁଦ୍ଦା ଉଠାଇ ଆସୁଥିଲେ, ଯାହାର ଫାଇଦା ମଧ୍ୟ ତାଙ୍କୁ ମିଳିଲା।

ବାଙ୍କୀପୁର ଦୀର୍ଘ ଦିନରୁ ବିଜେପିର ମଜବୁତ ଗଡ଼ ଭାବେ ବିବେଚିତ ହୋଇଆସୁଥିଲା। ବିଜେପିର ନିତିନ୍ ନବୀନ୍ ଏହି ଆସନରୁ କ୍ରମାଗତ ୫ ଥର ଜିତିସାରିଛନ୍ତି। ୨୦୦୬ରେ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପରଲୋକ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ନିତିନ୍ ନବୀନ୍ ପ୍ରଥମ ଥର ପାଇଁ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୮ରେ ସୀମା ନିର୍ଦ୍ଧାରଣ ପରେ ପାଟନା ପଶ୍ଚିମ ଆସନର ନାମ ବଦଳାଇ ବାଙ୍କୀପୁର କରାଯାଇଥିଲା। ନବୀନ୍ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ରେ ମଧ୍ୟ ଏହି ଆସନରୁ ନିର୍ବାଚନ ଜିତିଥିଲେ।

୨୦୨୫ ବିଧାନସଭା ନିର୍ବାଚନରେ ବିଜେପିକୁ ଏଠାରେ ପ୍ରାୟ ୬୩% ଭୋଟ୍‌ ମିଳିଥିଲା। ନିତିନ୍ ନବୀନ୍ ବିଜେପିର ଜାତୀୟ ସଭାପତି ହେବା ଓ ରାଜ୍ୟସଭାକୁ ଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ଏହି କାରଣରୁ ଉପନିର୍ବାଚନ ବିଜେପି ପାଇଁ ପ୍ରତିଷ୍ଠାର ଲଢ଼େଇ ଥିଲା। ବିଜେପି ନିଜର ଶକ୍ତିଶାଳୀ ସଂଗଠନ, ବିକାଶମୂଳକ କାର୍ଯ୍ୟ ଏବଂ ପାରମ୍ପରିକ ଭୋଟ୍‌ ବ୍ୟାଙ୍କ ଉପରେ ଭରସା କରିଥିଲା। ବାଙ୍କୀପୁରରେ ବ୍ୟବସାୟୀ ବର୍ଗ, ମଧ୍ୟବିତ୍ତ ବର୍ଗ ଏବଂ ଦୀର୍ଘ ଦିନରୁ ବିଜେପି ସମର୍ଥକ ଭୋଟର ଦଳର ବଡ଼ ଶକ୍ତି ଭାବେ ଗଣାଯାଉଥିଲେ।

ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜେପିର ମଜବୁତ ଗଡ଼କୁ ଚ୍ୟାଲେଞ୍ଜ କରିଥିଲେ। ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଗୋଟିଏ ହେଲେ ଆସନ ଜିତିପାରି ନଥିଲା। ପ୍ରଶାନ୍ତ ଯୁବବର୍ଗଙ୍କ ମୁଦ୍ଦାକୁ ନିଜ ରାଜନୀତିର କେନ୍ଦ୍ରବିନ୍ଦୁ କରିଥିଲେ। ଏହି ବିଜୟକୁ ସେ ଯୁବକମାନଙ୍କ ଆକ୍ରୋଶ ଏବଂ ପରିବର୍ତ୍ତନର ରାଜନୀତିର ବିଜୟ ଭାବେ ଉପସ୍ଥାପନ କରିପାରିବେ। ଏହାଦ୍ୱାରା ବିହାରରେ ଜନ ସୁରାଜ ପାର୍ଟିର ରାଜନୈତିକ ସ୍ଥିତି ମଜବୁତ ହେବ।

‘ଜେନ୍-ଜି’ ସତରେ ରାଜନୀତି ବଦଳାଇ ଦେଲେ କି?

କେବଳ ଆନ୍ଦୋଳନ ଓ ସୋସିଆଲ ମିଡିଆର ସକ୍ରିୟତା ସବୁବେଳେ ଭୋଟ୍‌ରେ ପରିଣତ ହୁଏ, ତାହା ଜରୁରୀ ନୁହେଁ। ବିହାରର ନିର୍ବାଚନୀ ଇତିହାସରେ ଅନେକ ଥର ଦେଖାଯାଇଛି ଯେ ରାସ୍ତାରେ ଦେଖାଯାଉଥିବା ରାଗ ଭୋଟଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ବାଙ୍କୀପୁର ଉପନିର୍ବାଚନରେ ଭୋଟ୍ ପ୍ରତିଶତ ମଧ୍ୟ ଏହି ପ୍ରଶ୍ନକୁ ଗୁରୁତ୍ୱପୂର୍ଣ୍ଣ କରିଦିଏ।

ନିର୍ବାଚନ କମିଶନଙ୍କ ଅନୁଯାୟୀ, ଏଠାରେ ୩୪.୩% ଭୋଟଦାନ ହୋଇଛି। ୨୦୨୫ ବିଧାନସଭା ନିର୍ବାଚନରେ ଏଠାରେ ୪୧.୩୯% ଭୋଟିଂ ହୋଇଥିଲା। କମ୍ ଭୋଟିଂର ଅର୍ଥ ହେଉଛି ଫଳାଫଳ ଉପରେ ସକ୍ରିୟ ଓ ନିଷ୍ଠାପର ଭୋଟରଙ୍କ ପ୍ରଭାବ ଅଧିକ ହୋଇପାରେ। ଜେନ୍-ଜି ଭୋଟର ପାରମ୍ପରିକ ଭୋଟ୍‌ ବ୍ୟାଙ୍କ ପରି କୌଣସି ଗୋଟିଏ ଦଳ ସହ ବାନ୍ଧି ହୋଇ ରହନ୍ତି ନାହିଁ। ଏହି ବର୍ଗ ସୋସିଆଲ ମିଡିଆରେ ସକ୍ରିୟ, ମୁଦ୍ଦା ଉପରେ ମତ ରଖନ୍ତି ଏବଂ ନିର୍ବାଚନର ଶେଷ ସମୟରେ ନିଜର ଆଭିମୁଖ୍ୟ ବଦଳାଇ ପାରନ୍ତି।

ବାଙ୍କୀପୁରରୁ କ’ଣ ସନ୍ଦେଶ ମିଳିଲା?

ବାଙ୍କୀପୁରର ଫଳାଫଳ ଦର୍ଶାଇଛି ଯେ ଛାତ୍ର ଆନ୍ଦୋଳନ, ଶିକ୍ଷା, ନିଯୁକ୍ତି ଏବଂ ପେପର ଲିକ୍‌ ଭଳି ମୁଦ୍ଦା ନିର୍ବାଚନୀ ରାଜନୀତିରେ ପ୍ରଭାବ ପକାଇପାରେ। ବିଜେପିର ଦୀର୍ଘ ଦିନର ଗଡ଼ରେ ପ୍ରଶାନ୍ତ କିଶୋରଙ୍କ ବିଜୟକୁ ଏକ ନୂଆ ରାଜନୈତିକ ଶକ୍ତିର ଅଭ୍ୟୁଦୟର ସଙ୍କେତ ଭାବେ ଦେଖାଯାଉଛି। ତେବେ କେବଳ ଏହି ଗୋଟିଏ ଫଳାଫଳ ଆଧାରରେ ସମଗ୍ର ବିହାର କିମ୍ବା ଦେଶର ଯୁବବର୍ଗଙ୍କ ଆଭିମୁଖ୍ୟ ସ୍ଥିର କରାଯାଇପାରିବ ନାହିଁ। ମାତ୍ର ଏତିକି ସ୍ପଷ୍ଟ ଯେ ବୃହତ୍‌ ଯୁବ ଜନସଂଖ୍ୟା ଥିବା ସହରାଞ୍ଚଳରେ ଜେନ୍-ଜି ଭୋଟର ଏବେ ନିର୍ବାଚନୀ ସମୀକରଣ ବଦଳାଇବାର କ୍ଷମତା ରଖୁଛନ୍ତି। ଏହି କାରଣରୁ ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକରେ ସବୁ ଦଳର ଫୋକସ୍ ଜେନ୍-ଜି ଭୋଟରଙ୍କ ମୁଦ୍ଦା ଉପରେ ଆହୁରି ବୃଦ୍ଧି ପାଇପାରେ।

Share