Categories: Home Leftଖେଳ

‘ବିରାଟ-ରୋହିତଙ୍କୁ ପାଇ ଶୁଭମନ ଗିଲ ଭାଗ୍ୟଶାଳୀ’, ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ କଥା

ନୂଆଦିଲ୍ଲୀ,୨୪।୯: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତରେ, ଶୁଭମନ ଗିଲ ଦିନିକିଆ କ୍ରିକେଟରେ ଜଣେ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବେ। ଯଦିଓ ଏହି ଫର୍ମାଟରେ ତାଙ୍କ ଅଧିନାୟକତ୍ୱର ଆରମ୍ଭ ସେତେଟା ସହଜ ରହିନାହିଁ। ଅଧିନାୟକ ଭାବେ ଗିଲ ୧୨ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ ମାତ୍ର ୬ଟିରେ ବିଜୟ ହାସଲ କରିଛନ୍ତି। ଏହାକୁ ନେଇ ଦିନିକିଆରେ ତାଙ୍କ ଅଧିନାୟକତ୍ୱ ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି।

ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଥିବାରୁ ଅଧିନାୟକ ଭାବେ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ୨୭ ସେପ୍ଟେମ୍ବରରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଘରୋଇ ସିରିଜ ଆରମ୍ଭ ହେବ। ଏହି ସମୟରେ ଗମ୍ଭୀରଙ୍କ ଗିଲଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି।

ଗମ୍ଭୀରଙ୍କ ମତରେ, ଗିଲ ଜଣେ ଅଧିନାୟକ ଭାବେ ଆହୁରି ଭଲ ହେବେ। ଏହାର ଏକ ବଡ଼ କାରଣ ହେଉଛି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଅଭିଜ୍ଞ ଖେଳାଳି ଏବେ ବି ଦିନିକିଆ ଦଳର ଅଂଶ ଅଛନ୍ତି। ଗମ୍ଭୀର କହିଛନ୍ତି ଯେ, ଗିଲ ବେଶ୍‌ ଭାଗ୍ୟଶାଳୀ, କାରଣ ପଡ଼ିଆ ଭିତରେ ଓ ବାହାରେ ତାଙ୍କୁ ମାର୍ଗଦର୍ଶନ କରିବା ପାଇଁ କୋହଲି ଓ ରୋହିତଙ୍କ ଭଳି ଦୁଇଜଣ ଅଭିଜ୍ଞ ଖେଳାଳି ରହିଛନ୍ତି।

ଜିଓଷ୍ଟାର ସହ ଆଲୋଚନା ବେଳେ ଗୌତମ ଗମ୍ଭୀର କହିଛନ୍ତି, ଦିନିକିଆରେ ସେ (ଗିଲ) ବହୁତ ଭାଗ୍ୟଶାଳୀ। କାରଣ ପଡ଼ିଆ ଭିତରେ ଓ ବାହାରେ ସହାୟତା କରିବା ପାଇଁ ତାଙ୍କ ସହ ରୋହିତ ଓ ବିରାଟଙ୍କ ଭଳି ଖେଳାଳି ଅଛନ୍ତି।

ଗମ୍ଭୀର ଆହୁରି କହିଛନ୍ତି ଯେ, ଅଧିନାୟକ ଭାବେ ଗିଲ ଏପର୍ଯ୍ୟନ୍ତ ପ୍ରତ୍ୟେକ କଷ୍ଟକର ପରୀକ୍ଷାରେ ନିଜକୁ ପ୍ରମାଣିତ କରିଛନ୍ତି। ଦଳ ଚୟନ ସହ ଜଡ଼ିତ କିଛି କଠିନ ନିଷ୍ପତ୍ତି ନେବାରେ ମଧ୍ୟ ସେ ଭଲ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ଗମ୍ଭୀର କହିଛନ୍ତି, ଭାରତୀୟ କ୍ରିକେଟ୍ରେ ପ୍ଲେଇଂ ଇଲେଭେନରୁ କାହାକୁ ବାଦ୍‌ ଦେବା ସବୁବେଳେ କଷ୍ଟକର। କିନ୍ତୁ ଜଣେ ଯୁବ ଅଧିନାୟକ ଭାବେ ଯେତେବେଳେ ଆପଣଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼େ, ତାହା ଯେକୌଣସି କୋଚ ଓ ଅଧିନାୟକଙ୍କ ପାଇଁ ସବୁଠାରୁ କଷ୍ଟକର କାମ ହୋଇଥାଏ। ଏପର୍ଯ୍ୟନ୍ତ ସେ ଏହାକୁ ଭଲ ଭାବେ କରିଛନ୍ତି। ସେ ପ୍ରକୃତରେ ପ୍ରତ୍ୟେକ କଷ୍ଟକର ପରୀକ୍ଷାରେ ନିଜକୁ ପ୍ରମାଣିତ କରିଛନ୍ତି। ସେ ଆହୁରି କହିଛନ୍ତି, ମୋତେ ଲାଗୁଛି ସେ ସବୁକିଛି ଠିକ୍‌ ଭାବେ କରିଛନ୍ତି। ଦିନିକିଆ କ୍ରିକେଟରେ ତାଙ୍କ ସମୟ ଟିକେ କଷ୍ଟକର ରହିଛି। କିନ୍ତୁ ମୋର ବିଶ୍ୱାସ ରହିଛି ଯେ ପରିସ୍ଥିତି ବଦଳିବ। କାରଣ ସେ ସବୁକିଛି ଠିକ ଭାବେ କରିଛନ୍ତି।

Dharitri – Odisha’s No.1 Odia Daily

Share