ଗୌରହରି ଦାସ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର, ୨୦।୯ (ବ୍ୟୁରୋ):ସାହିତି୍ୟକ, ଗାଳ୍ପିକ ତଥା କଥାକାର ଗୌରହରି ଦାସଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୪୩ତମ ‘ଶାରଳା ପୁରସ୍କାର’ ମିଳିବ। ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ ବୋଲି ଇମ୍ଫା ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ୨୦୧୮ ମସିହାରେ ଟାଇମ୍‌ ପାସ୍‌ ପବ୍ଲିକେଶନ ଦ୍ୱାରା ଏହି ଗଳ୍ପ ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଛି। ଅକ୍ଟୋବର ୨୬ରେ ଏକ ବର୍ଣ୍ଣାଢ଼୍ୟ ସାରସ୍ବତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଏଥିସହ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ଟ୍ରଷ୍ଟ ପକ୍ଷରୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ୨୦୨୨’ ଘୋଷଣା କରାଯାଇଛି। ଦୁଇ କଳା ସାଧକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ଓଡ଼ିଶୀ ସଙ୍ଗୀତସାଧକ ଗୁରୁ ଘନଶ୍ୟାମ ପଣ୍ଡା ଏହି ସମ୍ମାନ ପାଇବେ। ସମ୍ମାନ ବାବଦରେ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୂଷୀ ଇଲା ପଣ୍ଡାଙ୍କ କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ‘ଶାରଳା ପୁରସ୍କାର ଉତ୍ସବ’। ୧୯୮୦ ମସିହାରୁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି। ପରବର୍ତ୍ତୀ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି।