ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି ଫେରୁଥିବା ବେଳେ ବିଲ ମଝିରେ ଛକି ବସିଥିବା ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ୧ଲକ୍ଷ ୩୧ହଜାର ୧୬୦ଟଙ୍କା ଲୁଟି ନେଇଛନ୍ତି। ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି।
ଏକ ଗ୍ୟାସ ଏଜେନ୍ସିରେ କାମ କରୁଥିବା ନୂଆଗାଁର ଗୋପାଳ ଜେନା, ଭୋଳାନାଥ ଜେନା, ପ୍ରମୋଦ ଜେନା ରାତି ୯ଟା ବେଳେ ବିଭିନ୍ନ ଆଡ଼ୁ ଗ୍ୟାସ୍‌ ଦେଇ ଟଙ୍କା ନେଇ ଫେରୁଥିଲେ। ସେମାନେ ମୁଳିସିଂ ଛକରେ ଥିବା ଗ୍ୟାସ୍‌ ଗୋଦାମରେ ଗାଡ଼ି ରଖି ଆଦାୟ ଟଙ୍କାକୁ ସାଙ୍ଗରେ ନେଇଯାଉଥିବା ବେଳେ ମୁଳିସିଂ ଲେଭଲକ୍ରସିଂଠାରେ ଦୁର୍ବୃତ୍ତମାନେ ଭୁଜାଲି, ଖଣ୍ଡା, ରଡ଼ ଧରି ସେମାନଙ୍କର ମିଳିତ ଭାବେ ଆକ୍ରମଣ କରି ତଳେ ପକାଇଥିଲେ। ସେମାନଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଯାଇଥିଲେ। ସେମାନେ ଶୁକ୍ରବାର ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ.୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।