ଗୋପରେ ଗ୍ୟାସ, ତୈଳ ସନ୍ଧାନ ପ୍ରସଙ୍ଗ: ପେଟ୍ରୋଲ ରି-ଫାଇନ ଲାଗି ପହଞ୍ଚିଲା ୧୧ ମେଶିନ

ଗୋପ,୯।୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ନିକଟସ୍ଥ କୁଶୁପୁରୁରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ ରବିବାର ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେଶିନ ପହଞ୍ଚିଛି। ଏହି ଅତ୍ୟାଧୁନିକ ମେଶିନ ଦ୍ବାରା ପ୍ରାୟ ୯ ଶହ ଫୁଟ ତଳୁ ବାହାରିବା ପଙ୍କ ଓ ମାଟି ବାଲିକୁ ନିଆଯାଇ ରି- ଫାଇନ କରାଯିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଏହା କେଉଁଠିକୁ କିପରି ବିଶୋଧନ କରାଯିବ ସେ ସମ୍ପର୍କରେ କୌଣସି ଠିକ୍‌ ତଥ୍ୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ମାତ୍ର ବିଶୋଧିତ ଲାଗି ଆନ୍ଧ୍ର ପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ସହିତ ଆଉ କେତେକ ରାଜ୍ୟରୁ ଏହି ଅତ୍ୟାଧୁନିକ ମେଶିନ ଆସିଥିବା ବେଳେ ଆହୁରି ଅତ୍ୟାଧୁନିକ ଯନ୍ତ୍ରାଂଶ ଆସିବାର ମଧ୍ୟ ସୂଚନା ମିଳିଛି। କିନ୍ତୁ ଏହି କାର୍ଯ୍ୟ ୪/୫ ମାସ ଲାଗିବ। ପ୍ରକାଶ ଯେ, ଗୋପ ବ୍ଲକ କୁଶୁପୁରୁ, ମହଲପଡା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା। ପରେ କୁଶୁପୁରୁ ଅଞ୍ଚଳର ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍‌ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍‌ ମାଧ୍ୟମରେ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇ ଦିଆଯାଇ ଥିଲା। ହେଲେ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ଏବେ ସୁଦ୍ଧା କୌଣସି କାର୍ଯ୍ୟ ଆରମ୍ଭ ହୋଇ ନାହିଁ। କୁଶୁପୁରୁରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ କମ୍ପାନୀ ପକ୍ଷରୁ କାର୍ଯ୍ୟ ଚାଲିଥିଲାବେଳେ ପ୍ରଥମେ ୩ଟି ଅସ୍ଥାୟୀ ପୋଖରୀ ଭିତରେ କେମିକାଲ ଷ୍ଟକ ଗୃହ ମେଶିନ ପିଣ୍ତି ଶେଷ ହେବା ପରେ ଏହି ମେଶିନ ମାଧ୍ୟମରେ ରି- ଫାଇନ କାର୍ଯ୍ୟ ଆରମ୍ଭ ହେବ। ସୂଚନାଯୋଗ୍ୟ, ୨୦୨୦ ମସିହାରୁ ଅଏଲ ଏଣ୍ତିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁ,ଚାଷ ଜମିଗୁଡ଼ିକରେ ବୋରିଂ କରାଯାଇ କାର୍ଯ୍ୟ ହୋଇଥିଲା। ପରେ ସାଟଲାଇଟ ସର୍ଭେ ସହିତ ପରୀକ୍ଷା କରିବାରୁ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଏହି ଦୁଇଟି ସ୍ଥାନରେ ଥିବା ଜଣାପଡିଥିଲା। ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ମେଶିନ ଦ୍ବାରା ଏହି କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇ ଅଏଲ ଇଣ୍ତିଆ କମ୍ପାନୀ କର୍ତ୍ତୃପକ୍ଷ ବି.ଏନ୍‌. ସାହୁଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ଫୋନ ସୁଇଚ୍‌ ଅଫ ରହିଥିଲା।