ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର

ବାଙ୍କୀ, ୧୮।୭(ଡି.ଏନ୍‌.ଏ)- କଟକ ଜିଲା ବାଙ୍କୀ ଚର୍ଚ୍ଚିକାସାହିରେ ଥିବା ଏକ ଆଇସ୍‌କ୍ରିମ୍‌ ଫ୍ୟାକ୍ଟିରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ପୁଅ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁଶାନ୍ତ(୫୧) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସ୍ବୃତିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସୁଶାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନାନୁସାରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ସୁୁଶାନ୍ତ ଏବଂ ପୁଅ ସ୍ମୃତିରଞ୍ଜନ ବାଙ୍କୀ ଚର୍ଚ୍ଚିକା ସାହିରେ ଥିବା ଏକ ଆଇସ୍‌କ୍ରିମ୍‌ ଫ୍ୟାକ୍ଟିକୁ କମ୍ପ୍ରେସର ମରାମତି କରିବାକୁ ଆସିଥିଲେ। କମ୍ପ୍ରେସରରୁ ଗ୍ୟାସ ବାହାର କରୁଥିବାବେଳେ ଗ୍ୟାସ ଟାଙ୍କି ଫାଟିଯାଇଥିଲା। ଫଳରେ ସ୍ମୃତିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବାବେଳେ ବାପା ସୁଶାନ୍ତ ଗୁରୁୁତର ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ବାଙ୍କୀ ମେଡିକାଲ ନେଇଥିଲେ। ସାହି ଭିତରେ ଥିବା ଆଇସ୍‌କ୍ରିମ ଫ୍ୟାକ୍ଟ୍ରିରେ ଏଭଳି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଥିଲେ। ତୁରନ୍ତ ଏଠାରୁ ଆଇସ୍କ୍ରିମ ଫ୍ୟାକ୍ଟ୍ରିକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।