ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ‘Mission Zero—Ending Fatality in Sanitation Work’ ଶୀର୍ଷକ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା। ୮ଟି ରାଜ୍ୟର ବିଶେଷଜ୍ଞ, ଅଧିକାରୀ ଓ ସଫେଇ କର୍ମଚାରୀମାନେ ଏଥିରେ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ‘ଗରିମା ଦିବସ’ ଭାବେ ପାଳନ କରାଯିବ। ସଫେଇ କର୍ମୀଙ୍କ ଜୀବନ ସୁରକ୍ଷା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ବିପଦଜନକ ସଫେଇ କାର୍ଯ୍ୟରେ ମାନବଶକ୍ତି ବଦଳରେ ଆଧୁନିକ ମେସିନ୍, ରୋବୋଟିକ୍ସ ଓ ନୂଆ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ଆବଶ୍ୟକ। “ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା ଆମର ଲକ୍ଷ୍ୟ,” ବୋଲି ସେ କହିଥିଲେ।
ଏହି ଅବସରରେ ସ୍ୱର୍ଗତ ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଆଧୁନିକ ସଫେଇ ମେସିନ୍ ଓ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ‘ଜିରୋ ଫାଟାଲିଟି’ କେବଳ ସ୍ଲୋଗାନ୍ ନୁହେଁ, ଏହା ସରକାରଙ୍କ ସଂକଳ୍ପ।