ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍‌ ଟିକା

ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ ଶନିବାର ସୁଦ୍ଧା ୬ ଲକ୍ଷ ୪୩ ହଜାର ୮୮୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ସେଥିମଧ୍ୟରେ ୫ ଲକ୍ଷ ୧୫ ହଜାର ୧୯୭ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥିବାବେଳେ ୧ ଲକ୍ଷ ୨୮ ହଜାର ୬୮୪ ଜଣ ୧୮ ରୁ ୪୪ ବର୍ଷ ବୟସର ଅଛନ୍ତି। ଜିଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର, ଉପଖଣ୍ଡ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାର ସୁବିଧା ଅଛି। କେବଳ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ନେବା ଲାଗି ବ୍ରହ୍ମପୁର ଓ ଛତ୍ରପୁରରେ ସୁବିଧା ଅଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଜିଲାରେ ୧୧ ହଜାର ୬୦ଟି ଟିକା ମହଜୁଦ ଥିବା ବେଳେ
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୬ ହଜାର ଟିକା ଗଚ୍ଛିତ ଅଛି। ମୋଟ ୧୭ ହଜାର ୬୦ ଟିକା ମହଜୁଦ ରହିଥିବା ସୂଚନା ଦିଆଯାଇଛି।