ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ ସେଣ୍ଟରଠାରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ତିନୋଟି ଜିଲା ପ୍ରତିଷ୍ଠିତ ପୁରସ୍କାର ହାସଲ କରିଛି ।
​ଏହି ସମାରୋହରେ ‘ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର – ୨୦୨୫’ ଅନ୍ତର୍ଗତ ଗଞ୍ଜାମ ଜିଲା ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ଲାଭ କରିଛି। ସେହିପରି ‘ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର – ୨୦୨୫’ ଅଧୀନରେ ପୋଟଳମପୁର ପଞ୍ଚାୟତ ଦେଶର ଶ୍ରେଷ୍ଠ ‘ସୁସ୍ଥ ପଞ୍ଚାୟତ’ ଭାବେ ବିବେଚିତ ହୋଇଛି।
​ଏହା ବ୍ୟତୀତ, ‘ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର – ୨୦୨୫’ ଅନ୍ତର୍ଗତ ‘ସାମାଜିକ ନ୍ୟାୟ ଏବଂ ସାମାଜିକ ସୁରକ୍ଷିତ ପଞ୍ଚାୟତ’ ଶ୍ରେଣୀରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଜିଲା ଓ ପଞ୍ଚାୟତଗୁଡ଼ିକ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ପୋଟଲାମପୂର ସରପଞ୍ଚ ନିରଞ୍ଜନ ପ୍ରଧାନ, ପିଇଓ ରୋଜାଲିନ ବେହେରା, ପୋଲସରା ବ୍ଲକ ମନ୍ଦାର ପଂଚାୟତର ସରପଞ୍ଚ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟର ଅନ୍ୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପାଣ୍ଡୁଆ ପଞ୍ଚାୟତ ‘ଜଳ ସମୃଦ୍ଧ ପଞ୍ଚାୟତ’ ଭାବେ ପୁରସ୍କୃତ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ହାତୀବନ୍ଧା ପଞ୍ଚାୟତ ଦେଶର ‘ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ’ ଭାବେ ସମ୍ମାନିତ ହୋଇଛି ।

 

Dharitri – Odisha’s No.1 Odia Daily

Share