ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଞ୍ଜାମ ଏସପି ହରିଶ ବିସି ଅଧ୍ୟକ୍ଷତା କରି ଥାନା ଭିତ୍ତିକ ସମୀକ୍ଷା କରିବା ସହ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରିବା ସହ ବେଆଇନ କାରବାର ଉପରେ ଚଢ଼ାଉ ଜୋରଦାର କରିବାକୁ ଏସପି କହିଛନ୍ତି।
ବୈଠକରେ ପେଣ୍ଡିଂ ଥିବା ପୁରୁଣା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା ଶେଷ କରି ତୁରନ୍ତ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଠକେଇ ଉପରେ ଗୁରୁତ୍ୱ ଦେବା ସହ ଫେରାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ କୁହାଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ବିଶେଷ କରି ତ୍ରିପଲ ରାଇଡିଂ ଓ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି। ବାଲି, ମୋରମ ଓ ପଥର ଭଳି ପ୍ରାକୃତିକ ସମ୍ପଦର ବେଆଇନ କାରବାର ଏବଂ ଚୋରା ଚାଲାଣ ଉପରେ କଡ଼ା ନଜର ରଖିବାକୁ ଏସପି ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି।
ଜେଲ୍ରୁ ଫେରିଥିବା ଏବଂ ଜାମିନରେ ଆସିଥିବା ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିବା ସହ ଚୋରି ଓ ଡକାୟତି ମାମଲାରେ ଜଡ଼ିତ ପେଣ୍ଡିଂ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଥାନାକୁ ସାଧାରଣ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ସହ ଉଚିତ ଓ ଭଦ୍ର ବ୍ୟବହାର ପ୍ରଦର୍ଶନ କରିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି।
ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲାର ଅତିରିକ୍ତ ଏସପି ଚିନ୍ମୟ କୁମାର ନାୟକ, ପ୍ରଶାନ୍ତ କୁମାର ଦାସ, ରବିକାନ୍ତ ସୁନା ଓ ରଞ୍ଜନ କୁମାର ଦେ, ଡିଏସପି କଳ୍ପନା କାଉଁରୀ, ଆସିକା, ଭଞ୍ଜନଗର ଓ ଛତ୍ରପୁରର ଏସଡିପିଓଙ୍କ ସମେତ ସମସ୍ତ ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ।