ଭଞ୍ଜନଗର, ୧୪।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ଘଟିଥିବା ଭୟାବହ ବନ୍ୟା ପରେ ବର୍ତ୍ତମାନ ବିପନ୍ନଙ୍କ ଥଇଥାନ, ପୁନରୁଦ୍ଧାର ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଜୋରସୋରରେ ଜାରି ରହିଛି। ଏହି କାର୍ଯ୍ୟରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ଥିବାବେଳେ ବନ୍ୟା ପ୍ରଭାବିତ ଲୋକେ ମଧ୍ୟ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ସୋମବାର ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଏବଂ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ପତ୍ର ସଂଖ୍ୟା ୩୫୦୯ (ତାରିଖ ୧୩.୧୧.୨୦୨୬) ଜରିଆରେ ଜିଲାର ସମସ୍ତ ବିଡିଓଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଜନସାଧାରଣ ନିଜର ଅଭିଯୋଗ ଓ ସମସ୍ୟା ଡେପୁଟି କଲେକ୍ଟର (ଜରୁରୀକାଳୀନ)ଙ୍କ ଫୋନ୍ ନମ୍ବର ୦୬୮୧୧-୨୬୩୯୭୮ କିମ୍ବା ସହକାରୀ ଜିଲାପାଳ (ଅଭିଯୋଗ)ଙ୍କ ମୋବାଇଲ ନମ୍ବର ୯୪୩୯୭୨୦୭୦୦ରେ ଜଣାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ, ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା ଏବଂ ଯନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବକୁ ବିରୋଧୀ ଦଳ ପକ୍ଷରୁ ଦାୟୀ କରାଯାଇଆସୁଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ଶୁକ୍ରବାର ରାତିରେ ସରକାରଙ୍କ ନିଷ୍ପତ୍ତିକ୍ରମେ ଭଞ୍ଜନଗର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନଙ୍କୁ ଭୁବନେଶ୍ୱରକୁ ତୁରନ୍ତ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବ୍ରହ୍ମପୁର ବନ୍ଧ ସୁରକ୍ଷା ବିଭାଗର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କୁ ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସେ ଶନିବାର ସନ୍ଧ୍ୟାରେ ଭଞ୍ଜନଗରରେ ପହଞ୍ଚି ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି।
ବନ୍ୟା ପରିଚାଳନାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଜିଲ୍ଲାକୁ ଏଭଳି ବିପତ୍ତିର ସାମ୍ନା କରିବାକୁ ପଡ଼ିଲା ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏହାରି ଭିତରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କା ରହିଥିବାରୁ ନୂତନ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାଇଁ ଆଗାମୀ ଦିନରେ ବିଭାଗୀୟ କାର୍ଯ୍ୟର ସୁପରିଚାଳନା ଓ ଜଳ ନିୟନ୍ତ୍ରଣ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ। ତେବେ ବିଷ୍ଣୁଚରଣ ସାହୁ ପୂର୍ବରୁ ଏହି ଅଞ୍ଚଳରେ କାର୍ଯ୍ୟ କରିସାରିଥିବାରୁ ତାଙ୍କର ପୂର୍ବ ଅଭିଜ୍ଞତା ବିଭାଗୀୟ କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରିଚାଳନାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।