ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ ନେବା ଅଭିଯୋଗରେ କଙ୍କୋରଡ଼ା ଗ୍ରାମର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାମଚନ୍ଦ୍ର ସେଠୀ ଓ କୃଷ୍ଣଚନ୍ଦ୍ର ପ୍ରଧାନ। ସେମାନଙ୍କଠାରୁ ୧୨ ଶହ ଟଙ୍କା ଜବତ କରାଯାଇଛି।
ତଦନ୍ତକାରୀ ଅଧିକାରୀ ଏସଆଇ ତ୍ରିନାଥ ଭୋଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରିଥିଲେ। ଥାନା ମାମଲା ନଂ. ୨୬୭/୨୬ ଅନୁଯାୟୀ ଉଭୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ କଙ୍କୋରଡ଼ା ଗ୍ରାମର ହିରୋଜ ସେଠୀ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଗ୍ରାମର ଶ୍ରୀଲକ୍ଷ୍ମୀ ନାରାୟଣ ମନ୍ଦିର ପୋଖରୀ ନିକଟରେ ଉଭୟ ଅଭିଯୁକ୍ତ ତାଙ୍କୁ ଜବରଦସ୍ତ ଅଟକାଇ ଗାଳିଗୁଲଜ କରିବା ସହ ଧମକ ଦେଇ ଦାଦାବଟି ମାଗିଥିଲେ।
ହିରୋଜ ଏହାର ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ସାର୍ଟ ପକେଟରୁ ୪,୫୦୦ ଟଙ୍କା ଛଡ଼ାଇ ନେଇଥିବା ହିରୋଜ ଅଭିଯୋଗ କରିଛନ୍ତି।
ଏନେଇ ହିରୋଜ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ମାମଲା ରୁଜୁ କରି ଘଟଣାର ତଦନ୍ତ ଦାୟିତ୍ୱ ଏସଆଇ ତ୍ରିନାଥ ଭୋଇଙ୍କୁ ଦେଇଥିଲେ। ତଦନ୍ତ ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପାଟପୁର ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି।