ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାର ପ୍ରାୟ ସମସ୍ତ ବ୍ଲକ୍ରେ ଚିଠା ତାଲିକା ପ୍ରକାଶ ପାଇଥିବାରୁ ଅବଶିଷ୍ଟ କ୍ଷୟକ୍ଷତି ରିପୋର୍ଟ ଗୁରୁବାର ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ସମସ୍ତ ବିଡିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
କୌଣସି ହିତାଧିକାରୀ ଏକାଧିକ ଥର ସରକାରୀ ବନ୍ୟା ସହାୟତା ପାଇଁ ଆବେଦନ ନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଚିଠା ତାଲିକା ଉପରେ ଦାବି ଓ ଆପତ୍ତିର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ।
ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଇ ଅନ୍ୟ ସମସ୍ତ ବ୍ଲକ୍ ଗୁରୁବାର ସୁଦ୍ଧା କ୍ଷୟକ୍ଷତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ସହ ସମନ୍ୱୟ ରଖି ସହାୟତା ବଣ୍ଟନକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରି ଚଳିତ ମାସ ଶେଷ ସୁଦ୍ଧା ଶତପ୍ରତିଶତ ସମ୍ପନ୍ନ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବଣ୍ଟନ ପ୍ରକ୍ରିୟାର ସମସ୍ତ କାମ ନହେଲେ ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସଠିକ୍ ଓ ତ୍ୱରିତ କାର୍ଯ୍ୟ କରିଥିବା ବ୍ଲକ୍ଗୁଡ଼ିକୁ ସେ ପ୍ରଶଂସା କରିଥିଲେ।
ବନ୍ୟାଜଳ ହ୍ରାସ ପାଇଥିବାରୁ ଯେଉଁ ଅଞ୍ଚଳରେ ସହାୟତାର ଆବଶ୍ୟକତା କମିଛି, ସେଠାରୁ ଚାଉଳ ଓ ଆର୍ଥିକ ସହାୟତାକୁ ସରକାରୀ ନୀତିନିୟମ ଅନୁପାଳନ ପୂର୍ବକ ଅଧିକ ଆବଶ୍ୟକତା ଥିବା ଅଞ୍ଚଳକୁ ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସହାୟତା ଓ ସହଯୋଗ ନିମନ୍ତେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲେ ।
ଗଞ୍ଜାମ ଜିଲାରେ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଆର୍ଥିକ ସହାୟତା ବଣ୍ଟନର ଅଗ୍ରଗତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଜିଲାର କାର୍ଯ୍ୟକୁ ପ୍ରଶଂସା କରିଥିବା ଜିଲାପାଳ କହିଥିଲେ ।
ସେ କହିଥିଲେ ଯେ, କିଛି ଅଂଚଳରେ ବନ୍ୟାର ଦୀର୍ଘ ସମୟ ପରେ ମଧ୍ୟ ଗଞ୍ଜାମ ଭଳି ଅଗ୍ରଗତି ହୋଇପାରିନାହିଁ। ଦୁଇଦିନ ପୂର୍ବେ ଗଞ୍ଜାମ ଗସ୍ତ ସମୟରେ ମନ୍ତ୍ରୀ ଏହି ଅଗ୍ରଗତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଜିଲାର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ସଫଳତାକୁ ବଜାୟ ରଖି ଅଧିକ ପରିଶ୍ରମ ଓ ସମନ୍ୱୟର ସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏପର୍ଯ୍ୟନ୍ତ ବଣ୍ଟନ ହୋଇଥିବା ସହାୟତାର ବ୍ୟାଙ୍କ ତଥ୍ୟ ସଂଗ୍ରହ କରି ବିଡିଓ ଓ ନିର୍ବାହୀ ଅଧିକାରୀମାନେ ବ୍ୟବହାରିକ ପ୍ରମାଣପତ୍ର ଦାଖଲ କରିବେ । କୃଷି କ୍ଷୟକ୍ଷତି ସମ୍ପର୍କିତ କେସ୍ ରେକର୍ଡ ମଧ୍ୟ ଯଥା ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଉପଜିଲାପାଳ ପ୍ରତିଦିନ ପୂର୍ବାହ୍ନରେ କ୍ଷୟକ୍ଷତି ରିପୋର୍ଟ ଓ ସହାୟତା ବଣ୍ଟନର ଅଗ୍ରଗତି ସମୀକ୍ଷା କରିବେ।
ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେର୍କେଟା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଜିଲ୍ଲାପାଳ, ଆଇଏଏସ୍ ପ୍ରୋବେସନର ଏସ୍. ଶରଣ୍ୟା, ଜିଲ୍ଲା ଯୋଗାଣ ଅଧିକାରୀ, ଜରୁରୀକାଳୀନ ଅଧିକାରୀଙ୍କ ସମେତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।