ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ମଙ୍ଗଳବାର ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମକୁ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ବାତ୍ୟା ପ୍ରଭାବରେ ବିପଦ ଆଶଙ୍କା ଥିବା ନଦୀକୂଳବର୍ତ୍ତୀ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ବିଡିଓ ଅଚ୍ୟୁତାନନ୍ଦ ଯାନୀ ଓ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶୁଖିଲା ଖାଦ୍ୟ ପ୍ୟାକେଟ୍‌ରେ ଚୂଡ଼ା, ଗୁଡ଼, ବିସ୍କୁଟ୍‌, ମହମବତୀ ଓ ଦିଆସିଲି ଆଦି ରଖାଯାଇ ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ସମୟରେ ଏହି ସାମଗ୍ରୀଗୁଡ଼ିକ ଲୋକଙ୍କୁ ଯୋଗାଇ ଦିଆଯିବ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ କିଛି ପରିବାରଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିବା ସୂଚନା ମିଳିଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଜନସାଧାରଣଙ୍କ ସୁରକ୍ଷା ଓ ରିଲିଫ୍‌ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ସିଡିଓ ନିଜେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତିର ତଦାରଖ କରୁଛନ୍ତି। ବାତ୍ୟା ସମୟରେ ଯେପରି କୌଣସି ଜନସାଧାରଣ ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

Share