ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ଗ୍ରାମ ଗେଟ୍ ସାହିର କେ. କାହ୍ନା ପାତ୍ର (୨୩)ଙ୍କୁ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଥିଲେ। ଥାନା ମାମଲା ନଂ ୩୫୨/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମର ବି. କୁରେଶୁ ପାତ୍ର ଏବଂ ତାଙ୍କ ସ୍ତ୍ରୀ ବି. ଇଶ୍ୱରୀ ପାତ୍ର ଭୁବନେଶ୍ୱର ପଳାଶୁଣି ଲେବର କଲୋନୀରେ ରହି ଦିନମଜୁରିଆ ଭାବେ କାମ କରନ୍ତି। ଗତ ୪ ମାସ ତଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେବାରୁ ସ୍ତ୍ରୀ ଓ ପୁଅ ଆଶିଷଙ୍କୁ ଭୁବନେଶ୍ୱରରେ ଛାଡ଼ି କୁରେଶୁ ନିଜ ପୈତୃକ ଗ୍ରାମ ଭୀଷ୍ମଗିରିକୁ ଚାଲିଆସିଥିଲେ। ଇଶ୍ୱରୀ ପ୍ରାୟ ୯ ଦିନ ତଳେ ଭୁବନେଶ୍ୱରରୁ ଆସି ପୋଡ଼ାମାରି ଗ୍ରାମସ୍ଥିତ ମାଉସୀ ଘରେ ରହୁଥିଲେ।

ଗତ ଶୁକ୍ରବାର ଇଶ୍ୱରୀ ସ୍ୱାମୀ କୁରେଶୁଙ୍କୁ ଫୋନ୍ କରି ଭୀଷ୍ମଗିରି ଯିବା ପାଇଁ ପୋଡ଼ାମାରି ଗାଁକୁ ଡାକିଥିଲେ। କୁରେଶୁ ନିଜ ଭାଇ ବି. ମିଟୁ ପାତ୍ର ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ପୋଡ଼ାମାରି ଗ୍ରାମରେ ରହୁଥିବା ସଢ଼ୁ କୈଳାସ ପାତ୍ରଙ୍କ ଘରେ ପହଞ୍ଚିବା ପରେ ପୁରୁଣା କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁନର୍ବାର ପାଟିତୁଣ୍ଡ ହୋଇଥିଲା।

ଏହି ସମୟରେ କୈଳାସଙ୍କ ପୁଅ କାହ୍ନା ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିବା ସହ ଠେଙ୍ଗାରେ ମଉସା କୁରେଶୁ ଓ ମିଟୁଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମିଟୁ ଠେଙ୍ଗାଟିକୁ ଛଡ଼ାଇ କାହ୍ନାଙ୍କୁ ମାଡ଼ ମାରିବାରୁ ସେଠାରେ ଧସ୍ତାଧସ୍ତି ହୋଇଥିଲା। ସାହି ପଡ଼ୋଶୀ ସେମାନଙ୍କୁ ଛଡ଼ାଛଡ଼ି କରିବା ପରେ କୁରେଶୁ, ମିଟୁ ଓ ସମ୍ପର୍କୀୟ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ।

ମାତ୍ର କାହ୍ନା ଓ ତାଙ୍କର ୩ ସହଯୋଗୀ ଏକ ବୋଲେରୋ ଗାଡ଼ିରେ ପିଛା କରି ପାଟପୁର ଥାନା ସୁନ୍ଦରପୁର ଗାଁ ନିକଟରେ ଅପରାହ୍ନ ପ୍ରାୟ ୪ଟାରେ ସେମାନଙ୍କ ବାଇକକୁ ଅଟକାଇଥିଲେ। ସେମାନେ ବାଇକ୍ ଚାବି ଛଡ଼ାଇ ନେବା ସହ କୁରେଶୁଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିଲେ। କୁରେଶୁ ପ୍ରତିବାଦ କରିବାରୁ କାହ୍ନା ନିଜ ପାଖରେ ଥିବା ଲୁହା ପଞ୍ଝାରେ ତାଙ୍କ ମୁହଁକୁ ବାରମ୍ବାର ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ମିଟୁଙ୍କୁ ଠେଙ୍ଗାରେ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ।

ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ। କୁରେଶୁ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ପୋଡ଼ାମାରି ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି।

Dharitri – Odisha’s No.1 Odia Daily

Share