ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜନଜୀବନର ସୁରକ୍ଷା, ଲୋକଙ୍କ ସ୍ଥାନାନ୍ତରଣ ଏବଂ ଜରୁରୀକାଳୀନ ସେବା ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲାର ସମସ୍ତ ବିଭାଗକୁ ହାଇଆଲର୍ଟରେ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ଏବଂ ଆର୍ଯ୍ୟପଲ୍ଲୀ ସମେତ ଜିଲାର ସମସ୍ତ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମଙ୍ଗଳବାର ଆୟୋଜିତ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍ ଏହି ସୂଚନା ଦେଇଛନ୍ତି।
ଜିଲାରେ ପ୍ରସ୍ତୁତ ଥିବା ୧୧୩୯ଟି ସୁରକ୍ଷିତ ଆଶ୍ରୟସ୍ଥଳୀରେ ୧ ଲକ୍ଷ ୨୧ ହଜାର ୫୯୭ ଜଣଙ୍କୁ ଆଶ୍ରୟ ଦେବାର ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ୬୪ଟି ଆଶ୍ରୟସ୍ଥଳୀକୁ ୨୭୩୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେହିପରି ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ଉପରେ କଟକଣା ଜାରି ହୋଇଛି। ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିଥିବା ବେଳେ ୯ଟି ଆନ୍ଧ୍ର ଟ୍ରଲରକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି ଏବଂ ମୋଟ ୧୫୭୮ଟି ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ, ମତ୍ସ୍ୟ ବିଭାଗ ଓ ତହସିଲ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।
ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲାରେ ୪ଟି ଓଡ୍ରାଫ୍ ୟୁନିଟ୍ର ୧୨ଟି ଟିମ୍, ୩ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଏବଂ ୨୪ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିସହ ୧୩ଟି ଜିଲା ମେଡିକାଲ୍ ରେସପନ୍ସ ଟିମ୍ ଏବଂ ୨୩ଟି ପ୍ରାଣୀ ଚିକିତ୍ସା ତ୍ୱରିତ ପ୍ରତିକ୍ରିୟା ଦଳକୁ ସଜାଗ ରଖାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧୭୭୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୭୧୧ ଜଣଙ୍କୁ ସୁରକ୍ଷିତ ଭାବେ ‘ମାଆ ଗୃହ’ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ଇତିମଧ୍ୟରେ ୧୦୨ଟି ସୁରକ୍ଷିତ ପ୍ରସବ ହୋଇସାରିଛି।
ବର୍ତ୍ତମାନ ଜିଲାର ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ଏବଂ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ପ୍ରାୟ ୬୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇ ନିୟମିତ ନଜର ରଖାଯାଉଛି। ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ଯନ୍ତ୍ରପାତି ମୁତୟନ କରାଯାଇ ଡ୍ରେନ୍ ସଫେଇ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚୁଡ଼ା, ଗୁଡ଼, ପାଣି ବୋତଲ ଏବଂ ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ରାସନ ସାମଗ୍ରୀ ମହଜୁଦ ରଖାଯାଇଛି। ଜିଲାର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ତହସିଲ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଥିବାବେଳେ ଜରୁରୀକାଳୀନ ସହାୟତା ପାଇଁ ଜିଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ନମ୍ବର ୦୬୮୧୧-୨୬୩୯୭୮ ଜାରି କରାଯାଇଛି। ପ୍ରେସ୍ ବୁଲେଟିନ୍ ଜାରି ସମୟ ସୁଦ୍ଧା ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇନଥିଲେ ମଧ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା ଉପସ୍ଥିତ ଥିଲେ।