ଅଦାଲତଙ୍କ କଡ଼ା ଆଭିମୁଖ୍ୟ: ପୋଲିସ ଉପରେ ଆକ୍ରମଣକାରୀଙ୍କୁ ୩ ବର୍ଷ ଓ ନାବାଳିକା ନିର୍ଯାତନା ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଦୁଇଟି ପୃଥକ୍ ମାମଲାରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜଗନ୍ନାଥପ୍ରସାଦରେ ପୋଲିସ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ୩ ବର୍ଷ ଏବଂ ଭଞ୍ଜନଗରର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ଥାନା କେସ୍ ନଂ ୨୩୭/୨୦୨୫ ମାମଲାରେ ଭଞ୍ଜନଗର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ଗତ ୧୦ ତାରିଖରେ ଅଭିଯୁକ୍ତ ପାଣୁ ଚରଣ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଗନ୍ନାଥପ୍ରସାଦ ପୋଲିସ କର୍ମଚାରୀମାନେ ଆଇନଗତ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ପାଣୁ ଚରଣ ସେମାନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଏଏସ୍‌ଆଇ ଓ ଜଣେ ହାବିଲଦାର ଆହତ ହୋଇଥିଲେ।

ଅଦାଲତ BNSର ଧାରା ୧୦୯(୧) ଅନୁଯାୟୀ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ସୋଇଛନ୍ତି। ଅନ୍ୟ ଧାରାଗୁଡ଼ିକରେ ମଧ୍ୟ ଦଣ୍ଡାଦେଶ ହୋଇଥିବା ବେଳେ ସମସ୍ତ ଦଣ୍ଡାଦେଶ ଏକକାଳୀନ ଚାଲିବ। ଏହି ମାମଲାର ତଦନ୍ତ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା କରିଥିବା ବେଳେ ଅତିରିକ୍ତ ସରକାରୀ ଓକିଲ ଦୀପାଞ୍ଜଳି ମହାପାତ୍ର ଓ ସହକାରୀ ସରକାରୀ ଓକିଲ ବସନ୍ତ କୁମାର ଦାଶ ମାମଲା ପରିଚାଳନା କରିଥିଲେ।

ସେହିପରି ଭଞ୍ଜନଗର ଥାନା କେସ୍ ନଂ ୬୪୭/୨୦୨୩ର ଏକ ନାବାଳିକା ଯୌନ ନିର୍ଯାତନା ମାମଲାରେ ବ୍ରହ୍ମପୁରସ୍ଥିତ ଆଡହକ୍ ଅତିରିକ୍ତ ଜିଲା ଓ ଦୌରାଜଜ୍ (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ପୋକ୍ସୋ (POCSO) ଆଇନର ଧାରା ୪ ସହ ଆଇପିସିର ଧାରା ୩୭୬(୧) ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଏଥିସହ ଆଇପିସିର ଧାରା ୩୪୨ ଅନୁଯାୟୀ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଯାଇଛି, ଯାହାକି ଏକକାଳୀନ ଚାଲିବ। ଏହି ମାମଲାର ତଦନ୍ତ ଭଞ୍ଜନଗର ଥାନାର ଏସ୍‌ଆଇ ମନସ୍ୱିନୀ ମହାନ୍ତି କରିଥିବା ବେଳେ ସ୍ୱତନ୍ତ୍ର ସରକାରୀ ଓକିଲ ଡଃ ଶିବପ୍ରସାଦ ମିଶ୍ର ମାମଲା ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share